ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ସମ୍ଭାବନା । ବର୍ଷା, ଘଡଘଡି ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଅରେଞ୍ଜ ୱାର୍ଣ୍ଣିଂ ଜାରି…

150

କନକ ବ୍ୟୁରୋ: ମଙ୍ଗଳବାରଠାରୁ ଆସୁଛି ବଡ କାଳବୈଶାଖୀ । ଏ ନେଇ ସତର୍କ କରିଛି ପାଣିପାଗ ବିଭାଗ । ବିଶେଷକରି ୧୯ ଓ ୨୦ ତାରିଖରେ ବିଜୁଳି ଘଡଘଡି ସହ ବର୍ଷା ହେବ । କାଳବୈଶାଖୀ ନେଇ ଆଲର୍ଟ ଜାରି କରାଯାଇଛି । ଏସଆରସି ସବୁ ଜିଲ୍ଲାପାଳମାନଙ୍କୁ ସ୍ଥିତି ଉପରେ ନଜର ରଖିବା ପାଇଁ ନିର୍ଦ୍ଦେଶନାମା ଜାରି କରିଛନ୍ତି । ଆଉ କ୍ଷୟକ୍ଷତି ହେଲେ ରିପୋର୍ଟ ଦେବାକୁ କୁହାଯାଇଛି ।

  • ଆସୁଛି ବଡ କାଳବୈଶାଖୀ
  • ଡରାଇବ ବିଜୁଳି, ଘଡଘଡି

ରାଜ୍ୟରେ ୧୯ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଲା, ବଲାଙ୍ଗୀର, ସୋନପୁର, କଳାହାଣ୍ଡି, ବୌଦ୍ଧ, ଅନୁଗୁଳ, ଢେଙ୍କାନାଳ. ନୟାଗଡ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର । ଏହି ଜିଲ୍ଲାରେ ବିଜୁଳି, ଘଡଘଡି ସହ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା । ଅନ୍ୟପଟେ କଟକ, ଗଞ୍ଜାମ, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା ଓ ଢେଙ୍କାନାଳ ଜିଲ୍ଲାରେ ଗୋଟିଏରୁ ୨ଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି ।

ସେହିଭଳି ୨୦ ତାରିଖ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଥିବା ଜିଲ୍ଲାଗୁଡିକ ହେଉଛି, କେନ୍ଦ୍ରାପଡା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ନୟାଗଡ, ପୁରୀ, କନ୍ଧମାଳ , ଗଞ୍ଜାମ, ଗଜପତି , ରାୟଗଡା ଓ କୋରାପୁଟ । ଏହି ଜିଲ୍ଲାଗୁଡିକରେ ବିଜୁଳି ଘଡଘଡି ସହ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବା ସମ୍ଭାବନା ରହିଛି । ଏହାସହ ଗଞ୍ଜାମ, ପୁରୀ, ରାୟଗଡା, କୋରାପୁଟ, ଗଜପତି ଜିଲ୍ଲାର ଗୋଟିଏରୁ ୨ଟି ସ୍ଥାନରେ ୭ରୁ ୧୧ ସେଣ୍ଟିମିଟର ଯାଏଁ ବର୍ଷା ସମ୍ଭାବନା ରହିଛି ।

ସୂଚନାଯୋଗ୍ୟ ଯେ, କାଳବୈଶାଖୀ ଯୋଗୁଁ ୨୨ ତାରିଖ ଯାଏଁ ତାତିରୁ ଆଶ୍ୱସ୍ତି ମିଳିବ । ଏହି ସମୟ ମଧ୍ୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩ରୁ ୫ ଡିଗ୍ରୀ କମିବ । ବିଜୁଳି ଓ ଘଡଘଡି ବିପଦଜନକ ହୋଇଥିବାରୁ କାଳବୈଶାଖୀ ସମୟରେ ସତର୍କ ରହିବା ସହ ନିରାପଦ ସ୍ଥାନକୁ ଯିବାକୁ ପରାମର୍ଶ ଦିଆଯାଇଛି । ୨୨ ତାରିଖ ପରେ ପାଣିପାଗରେ ପରିବର୍ତ୍ତନ ଆସିବ ଓ ଦିନର ତାପମାତ୍ରା ବଢିବା ସମ୍ଭାବନା ରହିଛି ।