୨୧ରେ ଆସୁଛି ଲଘୁଚାପ : ପ୍ରଭାବରେ ଆଜିଠାରୁ ବଢିବ ବର୍ଷା, ୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ, କିଛି ସ୍ଥାନରେ ହୋଇପାରେ ପ୍ରବଳ ବର୍ଷା

1,971

କନକ ବ୍ୟୁରୋ : ଆସନ୍ତା ୨୧ତାରିଖରେ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ଆଜିଠାରୁ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, କନ୍ଧମାଳ, ବଲାଙ୍ଗିର, ବରଗଡ଼, ଝାରସୁଗୁଡ଼ା, ଦେବଗଡ଼, ମାଲକାନଗିରି, ରାୟଗଡ଼ା, ଗଜପତି, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ ଓ ଗଂଜାମ ଜିଲ୍ଲାରେ ଘଡ଼ଘଡ଼ି ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପୂର୍ବାନୁମାନ କରିଛି । ଏହାଛଡ଼ା ନୂଆପଡ଼ା, ନବରଙ୍ଗପୁର, କେନ୍ଦୁଝର ଓ ମୟୂରଭଂଜ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ହେବ ବୋଲି ଆକଳନ କରାଯାଇଛି । ଏହିସବୁ ଜିଲ୍ଲାଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର କିଛି ସ୍ଥାନରେ ବର୍ଷା ହୋଇଛି । କନ୍ଧମାଳ ଜିଲ୍ଲା ରାଇକିଆରେ ସର୍ବାଧିକ ୨୪.୨ ମିମି ବର୍ଷା ହୋଇଥିବା ବେଳେ ଅନୁଗୁଳ ଜିଲ୍ଲା ପାଲଲହଡ଼ାରେ ୨୩.୦ ମିମି ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

ଅପରପକ୍ଷରେ ଗତ ଜୁନ୍‌ ୧ରୁ ଜୁଲାଇ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶକ ଏଚ.ଆର ବିଶ୍ବାସ କହିଛନ୍ତି । ତାଙ୍କ ସୂଚନା ମୁତାବକ, ଏହି ସମୟ ମଧ୍ୟରେ ରାଜ୍ୟରେ ସ୍ବାଭାବିକ ଭାବେ ୩୯୩.୩ ମିମି ବର୍ଷା ହେବା କଥା । ମାତ୍ର ୨୫ ପ୍ରତିଶତ କମ୍‌ ଅର୍ଥାତ ୨୯୩.୮ ମିମି ବର୍ଷା ହୋଇଛି । ରାଜ୍ୟରେ ୧୯ଟି ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଛି । ଭଦ୍ରକରେ ସ୍ବାଭାବିକ ଭାବେ ୩୪୮.୭ ମିମି ବର୍ଷା ହେବା ସ୍ଥଳରେ ସବୁଠାରୁ କମ୍‌ ୧୪୯ ମିମି ବର୍ଷା ହୋଇଛି । ଯାହାକି ୫୭% କମ୍‌ । ବଲାଙ୍ଗିର, ଗଜପତି, ଯାଜପୁର ଓ କେନ୍ଦୁଝରରେ ୪୦% କମ୍‌ ବର୍ଷା ହୋଇଛି । ସେହିପରି ଅନ୍ୟ ଜିଲ୍ଲାଗୁଡ଼ିକରେ ୪୦%ରୁ କମ୍‌ ନିଅଣ୍ଟିଆ ବର୍ଷା ହୋଇଛି ବୋଲି ଶ୍ରୀ ବିଶ୍ବାସ ସୂଚନା ଦେଇଛନ୍ତି ।