ଲଘୁଚାପ ସୃଷ୍ଟି ପ୍ରକ୍ରିୟାରେ ବିଳମ୍ବ : ଆସନ୍ତାକାଲି ଲଘୁଚାପ ବର୍ଷା ସମ୍ଭାବନା

301

କନକ ବ୍ୟୁରୋ : ଓଡ଼ିଶାରୁ ଫେରିବା ଆରମ୍ଭ କରିଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ବରଗଡ଼, ବଲାଙ୍ଗୀର, ସୋନପୁର ଓ ନୂଆପଡ଼ା ଆଦି ପଶ୍ଚିମ ଓଡ଼ିଶାର ଜିଲ୍ଲାଗୁଡ଼ିକରୁ ଆଜି ମୌସୁମୀ ପ୍ରତ୍ୟାବର୍ତ୍ତନ କରିଛି । ଏଥିସହ ଅନୁଗୁଳ ଓ ବୌଦ୍ଧର ଅଧିକାଂଶ ସ୍ଥାନରୁ ତଥା ମୟୂରଭଞ୍ଜ, କେନ୍ଦୁଝର, ଢେଙ୍କାନାଳ, କନ୍ଧମାଳ ଓ କଳାହାଣ୍ଡି ଆଦି ଜିଲ୍ଲାର କିଛି କିଛି ସ୍ଥାନରୁ ମଧ୍ୟ ମୌସୁମୀ ଫେରିବା ଆରମ୍ଭ କରିଛି । ଆସନ୍ତା ୨ ଦିନରେ ଓଡ଼ିଶାରୁ ସମ୍ପୂର୍ଣ୍ଣ ଭାବେ ମୌସୁମୀ ଫେରିଯିବ ବୋଲି କହିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯାଇଥିବାରୁ ପାଗ ଶୁଖିଲା ଓ ଖରାଟିଆ ରହିଛି। ମୌସୁମୀଜନିତ ବର୍ଷା ରାଜ୍ୟରେ ଆଉ ବିଶେଷ ହେବାର ନାହିଁ ବୋଲି କୁହାଯାଇଛି ।

ଅନ୍ୟପଟେ ଉତ୍ତର ଆଣ୍ଡାମାନ ସାଗର ଓ ସଂଲଗ୍ନ ଅଞ୍ଚଳ ଉପରେ ରହିଥିବା ଘୂର୍ଣ୍ଣିବଳୟ ଏବେ ବି ସେହି ସ୍ଥାନରେ ରହିଛି । ଏହା ଅଧିକ ଘନୀଭୂତ ହୋଇ ଲଘୁଚାପରେ ପରିଣତ ହେବା ପ୍ରକ୍ରିୟା ବିଳମ୍ବ ହେଉଛି । ବର୍ତ୍ତମାନର ଆକଳନ କରୁଛି, ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୧୩ ତାରିଖ ଆଡ଼କୁ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଆଣ୍ଡାମାନ ସାଗର ଉପରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଧୀରେଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରିବ ଏବଂ ଦକ୍ଷିଣ ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳରେ ପହଞ୍ଚି ୧୫ ତାରିଖ ଆଡ଼କୁ ଏକ ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ଯେହେତୁ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା‌ରେ ବିଳମ୍ବ ହେଉଛି ତଥା ଓଡ଼ିଶାରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ପ୍ରତ୍ୟାବର୍ତ୍ତନ ଆରମ୍ଭ କରି ଦେଇଛି। ତେଣୁ ଲଘୁଚାପଟି କେତେ ଘନୀଭୂତ ହେବ ଓ ଏହା ଅବପାତରେ ସୀମିତ ରହିବ କି ଆହୁରି ଅଧିକ ଘନୀଭୂତ ହୋଇ ବାତ୍ୟାର ରୂପ ନେବ ସେ ନେଇ ଏବେଠାରୁ କିଛି ସ୍ପଷ୍ଟ କହି ହେଉନାହିଁ। ଆସନ୍ତା ୨ ଦିନ ମଧ୍ୟରେ ଏ ନେଇ ସ୍ପଷ୍ଟ ଚିତ୍ର ଆସିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି ।