ଘଡଘଡି ସହ କୁଆପଥର ବର୍ଷା ସମ୍ଭାବନା । ୧୦ରୁ ଅଧିକ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କ ସୂଚନା। ବର୍ଷା ଛାଡ଼ିଗଲା ପରେ ପୁଣି ବଢ଼ିବ ଶୀତର ପ୍ରକୋପ

768

କନକ ବ୍ୟୁରୋ: ରାଜସ୍ଥାନରୁ ଝାଡଖଣ୍ଡ ମଧ୍ୟରେ ସୃଷ୍ଟି ହୋଇଛି ଟ୍ରାପ ଲାଇନ । ଏହାର ପ୍ରଭାବରେ ସାରା ରାଜ୍ୟରେ ହାଲକା ବର୍ଷା ହେଉଛି ।  ବିଶେଷକରି ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡିଶାରେ ଘଡଘଡି ସହ ବର୍ଷା ହେବ । ଏପରିକି କିଛି ସ୍ଥାନରେ କୁଆପଥର ବର୍ଷା ହେବା ସମ୍ଭାବନା ରହିଛି ।  ଭଦ୍ରକ, ବାଲେଶ୍ୱର, ଯାଜପୁର, ଢେଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା, କୋରାପୁଟ, ମାଲକାନଗିରିରେ ବର୍ଷା ହେବ ।  ରାଜଧାନୀ ଭୁବନେଶ୍ୱରରେ ମଧ୍ୟ କୋହଲା ପାଗ ସାଙ୍ଗକୁ  ଝିପିଝିପି ବର୍ଷା ହେଉଥିବା ଦେଖିବାକୁ ମିଳିଛି ।

ସୋନପୁରରେ ସର୍ବାଧିକ ୩୧.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଥିବାବେଳେ ଝାରୁସୁଗୁଡାରେ  ୧୮.୯ ଓ ବଲାଙ୍ଗୀରରେ  ୧୫.୬ ମିଲିମିଟର ବର୍ଷା ରେକର୍ଡ ହୋଇଛି ।  ଗତକାଲି ସୁନ୍ଦରଗଡରେ ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରୀ ଥିଲା । ଅନ୍ୟପଟେ ପାଗ ମେଘୁଆ ରହିବା ଯୋଗୁଁ ତାପମାତ୍ର ସାମାନ୍ୟ ବୃଦ୍ଧି ପାଇଛି । ଫଳରେ ଥଣ୍ଡା ଟିକେ କମ୍ ହୋଇଛି ।  ଆସନ୍ତା ୩ ରୁ ୪ ଦିନ ପର୍ଯ୍ୟନ୍ତ ପୂର୍ବଭଳି ଥଣ୍ଡା ଅନୁଭୂତ ହେବ ନାହିଁ ବୋଲି କୁହାଯାଇଛି  । ତେବେ ବର୍ଷା ଛାଡ଼ିଗଲା ପରେ ଥଣ୍ଡା ପୁଣି ବଢ଼ିବାର ସମ୍ଭାବନା ରହିଛି  ।