୨୪ ଘଣ୍ଟା ମଧ୍ୟରେ ୧୯ ଜିଲ୍ଲାକୁ ରହିଛି କାଳବୈଶାଖୀ ଭୟ । ୟେଲୋ ଓ୍ଵାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ ।

407

ଭୁବନେଶ୍ୱର: ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ, ପଶ୍ଚିମ, ଉତ୍ତର ଆଭ୍ୟନ୍ତରୀଣ ଓ ଉପକୂଳ ଓଡିଶାର କିଛି ଜିଲ୍ଲାରେ ବର୍ଷା ହୋଇପାରେ । ତା ସହ ବାକି ଜିଲ୍ଲାମାନଙ୍କର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ କାଳବୈଶାଖୀ ସହ ହାଲୁକାରୁ ମଧ୍ୟମ ଧରଣର ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି ।  ଆଜି ଏନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଏକ ସତର୍କ ସୂଚନା ଜାରି କରି ସୂଚନା ଦିଆଯାଇଛି । ଏଥିସହ କାଳବୈଶାଖୀ ଭୟ ରହିଥିବା ଏହି ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

ଜାରି ସତର୍କ ସୂଚନା ମତାବକ ଆଜି (୫ ଜୁନ୍‌, ଶନିବାର) ଅପରାହ୍ନ ୧ଟା ୩୦ଘଣ୍ଟା ମଧ୍ୟରୁ ଆସନ୍ତାକାଲି (୬ ଜୁନ୍‌, ରବିିବାର) ସକାଳ ୮ଟା୩୦ ଘଣ୍ଟା ମଧ୍ୟରେ ରାଜ୍ୟର ସୋନପୁର, ବୌଦ୍ଧ, ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ନବରଙ୍ଗପୁର, ରାୟଗଡ଼ା, କୋରାପୁଟ, ମାଲକାନଗିରି, ଗଜପତି, ଗଞ୍ଜାମ, ନୟାଗଡ଼, କଟକ, ଢ଼େଙ୍କାନାଳ, ଅନୁଗୁଳ, ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର ଓ ଖୋର୍ଦ୍ଧା ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେହିପରି ଏହି ସମୟ ମଧ୍ୟରେ ଏହିସବୁ ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବଜ୍ରପାତ ହେବାର ସମ୍ଭାବନା ମଧ୍ୟ ରହିଛ ବୋଲି ଜାରି ସତର୍କ ସୂଚନାରେ କୁହାଯାଇଛି।

ଏହାକୁ ଦୃଷ୍ଟିରେ ରଖି ଏହି ସବୁ ଜିଲ୍ଲା ପାଇଁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ଓ ବଜ୍ରପାତ ସମୟରେ ଘର ଭିତରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ। ଏଥିସହ ଆସନ୍ତା ଜୁନ୍‌ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଏହିପରି କାଳବୈଶାଖୀ ସହ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।