୨୪ ଘଣ୍ଟା ମଧ୍ୟରେ ଏହି ୮ ଜିଲ୍ଲାକୁ ରହିଛି କାଳବୈଶାଖୀ ଭୟ । ୟେଲୋ ଓ୍ଵାର୍ଣ୍ଣିଂ ଜାରି କରି ସତର୍କ କରାଇଲା ପାଣିପାଗ ବିଭାଗ ବିଜ୍ଞାନ କେନ୍ଦ୍ର ।
କନକ ବ୍ୟୁରୋ: ରାଜ୍ୟର ଦକ୍ଷିଣ ଓ ଆଭ୍ୟନ୍ତରୀଣର ପ୍ରାୟ ୮ଟି ଜିଲ୍ଲାରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ଜନିତ ବର୍ଷା ଓ ଘୂର୍ଣ୍ଣିଝଡ଼ର ସମ୍ଭାବନା ରହିଛି ବୋଲି ଆଜି ଅପରାହ୍ନରେ ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଜାରି ଏକ ସତର୍କ ସୂଚନାରେ କୁହାଯାଇଛି। ଏଥିସହ କାଳବୈଶାଖୀ ଭୟ ରହିଥିବା ସବୁ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।
Kanak News is now on WhatsApp
Join and get latest news updates delivered to you via WhatsApp
ଜାରି ସତର୍କ ସୂଚନା ମତାବକ ଆଜି ଅପରାହ୍ନ ୧ଟା ୩୦ଘଣ୍ଟା ମଧ୍ୟରୁ ଆସନ୍ତାକାଲି ସକାଳ ୮ଟା୩୦ ଘଣ୍ଟା ମଧ୍ୟରେ ରାଜ୍ୟର ମାଲକାନଗିରି, କୋରାପୁଟ, ଗଜପତି, ଗଞ୍ଜାମ, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ପ୍ରଭୃତି ୮ଟି ଜିଲ୍ଲାର ଅନେକ ସ୍ଥାନରେ ବଜ୍ରପାତ ଏବଂ କୁଆପଥର ବର୍ଷା ସହିତ ବିଜୁଳି ଓ ଘଡ଼ଘଡ଼ି ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ଏହି ୮ଜିଲ୍ଲାକୁ ହଳଦିଆ ଚେତାବନୀ ବା ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିବା ସହ କାଳବୈଶାଖୀ ଓ ବଜ୍ରପାତ ସମୟରେ ଘର ଭିତରୁ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ।
ସେହିପରି ଏହି ସମୟ ମଧ୍ୟରେ ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ବାଲେଶ୍ୱର, ଭଦ୍ରକ, ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ ଓ କନ୍ଧମାଳ ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ଅଧିକ ରହିଛି ବୋଲି ଜାରି ସତର୍କ ସୂଚନାରେ କହିଛି ପାଣିପାଗ କେନ୍ଦ୍ର। କିଛି ସ୍ଥାନରେ କୁଆପଥର ବର୍ଷା ମଧ୍ୟ ହୋଇପାରେ। ଏଥିସହ ଆସନ୍ତା ମେ ୪ ତାରିଖ ପର୍ୟ୍ୟନ୍ତ ରାଜ୍ୟରେ ଏହିପରି କାଳବୈଶାଖୀ ସହ ବର୍ଷା ଓ ବଜ୍ରପାତର ସମ୍ଭାବନା ରହିଛି ବୋଲି କହିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।