ସତର୍କ ଘଂଟି : ଆସୁଛି କାଳବୈଶାଖୀ ! ଗୃହ ମନ୍ତ୍ରାଳୟ ପରେ ୧୩ଟି ରାଜ୍ୟରେ ଭିଷଣ ଝଡତୋଫାନ ନେଇ ଭାରତୀୟ ପାଣିପାଗ ବିଭାଗର ସତର୍କ ସୂଚନା

88

କନକ ବ୍ୟୁରୋ: ପୁଣି ଆସୁଛି ଝଡ ତୋଫାନ । ଓଡିଶା ସମେତ ୧୩ ରାଜ୍ୟରେ ଭୀଷଣ ଝଡତୋଫାନ ଆସିପାରେ ବୋଲି ସତର୍କ କରାଇଦେଇଛି ଭାରତ ସରକାରଙ୍କ ଗୃହ ମନ୍ତ୍ରାଳୟ । ଆସନ୍ତାକାଲି ଓ ତାପରଦିନ ଓଡିଶାରେ ଝଡ ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି । ମୁଖ୍ୟତ, ଉପକୂଳ ଓଡିଶା ଓ କେନ୍ଦୁଝର-ମୟୂରଭଂଜରେ ଏହାର ସମ୍ଭାବନା ଅଧିକ ବୋଲି କୁହାଯାଇଛି ।

ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ଦିଲ୍ଲୀ ସମେତ ଉତର ଭାରତରେ ଝଡବର୍ଷାର ପ୍ରଭାବ ଦେଖିବାକୁ ମିଳିଛି । ଗତ ସପ୍ତାହରେ କାଳବୈଶାଖୀ ବର୍ଷା ଫଳରେ ୫ଟି ରାଜ୍ୟରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ପରେ ଏଭଳି ଝଡତୋଫାନର ଚିତ୍ର ମନରେ ଭୟ ସୃଷ୍ଟି କରିଛି । ଗତ ୪ ତାରିଖରେ କେନ୍ଦ୍ର ଗୃହ ମନ୍ତ୍ରାଳୟର ସତର୍କ ସୂଚନା ପରେ ପୁଣି ସୋମବାର ଭାରତୀୟ ପାଣିପାଗ ବିଭାଗ ଜାରି କରିଥିବା ସତର୍କ ସୂଚନା ଅନୁସାରେ ଦେଶର ୧୩ଟି ରାଜ୍ୟରେ ଆଗାମୀ ତିନିଦିନ ଯାଏଁ ଝଡତୋଫାନ ସହ ବର୍ଷା ଓ କୁଆପଥର ମାଡର ସମ୍ଭାବନା ରହିଛି । ଏହି ସମୟରେ ପବନର ବେଗ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ମଧ୍ୟରେ ରହିପାରେ ବୋଲି ଆଶଙ୍କା ପ୍ରକାଶ କରିଛି ଦିଲ୍ଲୀ ସ୍ଥିତ କେନ୍ଦ୍ରୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଓଡିଶା ସମେତ ୧୩ଟି ରାଜ୍ୟରେ ଝଡତୋଫାନ ନେଇ ଆଶଙ୍କା ଭିତରେ ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର କହିଛି ଆଗାମୀ ଦୁଇଦିନ ଯାଏଁ ଉପକୂଳ ଓଡିଶା ସମେତ ମୟୁରଭଞ୍ଜ ଓ କେନ୍ଦୁଝରରେ ଝଡ ତୋଫାନର ସମ୍ଭାବନା ରହିଛି । ଯେଉଁ ସମୟରେ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ଉପକୂଳ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଥିବାରୁ ଓ ସମୁଦ୍ର ପଟରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହିତ ହେଉଥିବାରୁ ଏହା କାଳବୈଶାଖୀ ସୃଷ୍ଟି କରିବାରେ ସହାୟକ ହେବ । ତେବେ ଅପରାହ୍ନ କିମ୍ବା ରାତି ସମୟରେ ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି ।

ତେବେ ଅତି ଖରାପ ପାଗ ନେଇ ଥିବା ସତର୍କ ସୂଚନାକୁ ପରିବର୍ତନ କରି ଅମ୍ବର ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ । ଦିଲ୍ଲୀ, ଚଣ୍ଡିଗଡ, ଜାମ୍ମୁ-କାଶ୍ମୀର, ଉତରାଖଣ୍ଡ, ହିମାଚଳ ପ୍ରଦେଶ, ହରିଆଣା ଓ ପଶ୍ଚିମ ଉତର ପ୍ରଦେଶ ପାଇଁ ଏଭଳି ସତର୍କ ସୂଚନା ଦିଆଯାଇଛି । ସଂଧ୍ୟା ସମୟରେ ପାଣିପାଗର ମିଜାଜ ଭଲ ରହିବ ନାହିଁ ବୋଲି ପୂର୍ବାନୁମାନ ପରେ ସତର୍କତା ପଦକ୍ଷେପ ନିଆଯାଉଛି । ଲୋକଙ୍କୁ ସଂଧ୍ୟା ପୂର୍ବରୁ ଘରକୁ ଫେରିଆସିବା ସହ ସାଂଧ୍ୟକାଳୀନ ସ୍କୁଲଗୁଡିକୁ ବନ୍ଦ ଘୋଷଣା କରାଯାଇଛି ।