କାଳବୈଶାଖୀ ପାଇଁ ୮ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ : ବିଜୁଳି ଘଡଘଡି ସହ ବର୍ଷା ନେଇ ପୂର୍ବାନୁମାନ କଲା ପାଣିପାଗ ବିଭାଗ

637

କନକ ବ୍ୟୁରୋ : କାଳବୈଶାଖୀ ପାଇଁ ଆଜି ୮ ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। ଜିଲ୍ଲାଗୁଡ଼ିକ ହେଲା, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ ଓ ଢେଙ୍କାନାଳ । ଏହି ସବୁ ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ ଓ ପବନର ବେଗ ୫୦ରୁ ୬୦ କିମି ମଧ୍ୟରେ ରହିବ। ତେଣୁ ଗଛ, କଚା ଘର ଆଦି ଭାଙ୍ଗିବାର ସମ୍ଭାବନା ରହିଛି । ତେଣୁ ଏଥିପ୍ରତି ସଜାଗ ରହିବା ପାଇଁ ସ୍ବତନ୍ତ୍ର ରିଲିଫ୍‌ କମିସନର୍‌ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖି ଜଣାଇଛନ୍ତି । ଅପରପକ୍ଷେ ଗତ ୨ ଦିନ ହେଲା ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ଜାରି ରହିଥିବାରୁ ତାତି କମିଛି । ଆସନ୍ତା ୩ରୁ ୪ ଦିନ ମଧ୍ୟରେ ରାଜ୍ୟର ତାପମାତ୍ରା ୨ରୁ ୩ ଡିଗ୍ରି ମଧ୍ୟରେ କମିବ ବୋଲି କେନ୍ଦ୍ର କହିଛି ।

କେନ୍ଦ୍ରର ସୂଚନା ମୁତାବକ, ସୋମବାର ପରେ ପବନର ବେଗ ଅପେକ୍ଷାକୃତ କମିବ । ୪ ଓ ୫ ତାରିଖରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସହ ପବନର ବେଗ ଘଣ୍ଟାପ୍ରତି ୪୦ରୁ ୫୦କିମି ରହିବ । ୬ ତାରିଖ ଆଡ଼କୁ ପବନର ବେଗ ୩୦ରୁ ୪୦ କିମିକୁ ହ୍ରାସ ଘଟିବ । ୪ ତାରିଖ ଦିନ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଧା, ନୟାଗଡ଼, ପୁରୀ, ଗଜପତି, ଗଞ୍ଜାମ, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, ମାଲକାନଗିରି, କୋରାପୁଟ ଆଦି ଜିଲ୍ଲାରେ ପବନ ସହ ଝଡ଼ବର୍ଷା ହେବ । କୋରାପୁଟ, ଗଜପତି, ଗଞ୍ଜାମ, ମାଲକାନଗିରି ଓ ରାୟଗଡ଼ା ଆଦି ଜିଲ୍ଲାର କିଛି କିଛି ଅଞ୍ଚଳରେ ପ୍ରବଳ ବର୍ଷାର ବି ସମ୍ଭାବନା ରହିଛି। ସେହିପରି ୫ ତାରିଖ ଦିନ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ସମ୍ବଲପୁର, ଢେଙ୍କାନାଳ, କଟକ, ବୌଦ୍ଧ, କନ୍ଧମାଳ, କେନ୍ଦୁଝର, ଗଜପତି, ଗଞ୍ଜାମ ଓ ନୟାଗଡ଼ ଆଦି ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ।

ତେବେ ୬ ତାରିଖ ଦିନ ପବନର ବେଗ ଘଣ୍ଟାପ୍ରତି ୩୦ରୁ ୪୦କିମି ରହିବ ଏବଂ ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ ଆଦି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବ । ୪ରୁ ୬ ତାରିଖ ପର୍ଯ୍ୟନ୍ତ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ରାଜ୍ୟରେ କ୍ରମାଗତ ଭାବେ କାଳବୈଶାଖୀ ବର୍ଷା ହେବା ଓ ଏହାର ବିସ୍ତୃତି ବଢ଼ିବାର ସମ୍ଭାବନା ଥିବାରୁ ଆସନ୍ତା ୩ ରୁ ୪ ଦିନରେ ତାତି ବିଶେଷ ଭାବେ କମିବାର ସୂଚନା ମିଳିଛି ।