ସନ୍ଧ୍ୟା ସାଢେ ୬ଟାରେ କାଳବୈଶାଖୀ ସମ୍ଭାବନା ! ୬୦ରୁ ୭୦ କିଲୋମିଟର ବେଗରେ ବହିବ ପବନ, ଜାଣନ୍ତୁ କେଉଁ ଜିଲ୍ଲା ଗୁଡିକ ପାଇଁ ସର୍ତକ ସୂଚନା ଜାରି କଲା ପାଣିପାଗ ବିଭାଗ

33

କନକ ବ୍ୟୁରୋ : ମାଡି ଆସୁଛି କାଳବୈଶାଖୀ । ଆଜି ରାଜ୍ୟର ୯ଟି ଜିଲ୍ଲାରେ କାଳବୈଶାଖୀର ସମ୍ଭାବନା ରହିଛି । ଏପରିକି ଉପକୂଳ ଓଡ଼ିଶାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ମଧ୍ୟ କାଳବୈଶାଖୀର ସମ୍ଭାବନା ରହିଛି । ଏହି ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବ ବୋଲି ପାଣିପାଗ ବିଭାଗ ସର୍ତକ ସୂଚନା ଜାରି କରିଛି । ସନ୍ଧ୍ୟା ସାଢେ ୬ଟା ସୁଦ୍ଧା କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

କାଳବୈଶାଖୀର ସମ୍ଭାବନା ଥିବା ଜିଲ୍ଲା ଗୁଡିକ ହେଲା ଝାରସୁଗୁଡ଼ା, ସୁନ୍ଦରଗଡ, ମୟୁରଭଞ୍ଜ, କେନ୍ଦୁଝର, ଯାଜପୁର, ଜଗତସିଂହପୁର, ରାୟଗଡା, କଳାହାଣ୍ଡି ଓ ବଲାଙ୍ଗୀର । ଏହି ୯ଟି ଜିଲ୍ଲାରେ କାଳବୈଶାଖୀ ସମୟରେ ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ଭୁବନେଶ୍ୱର ପକ୍ଷରୁ ସୂଚନା ଦିଆଯାଇଛି ।

ସେହିଭଳି ଗତକାଲି ଉତ୍ତର ଓଡ଼ିଶାରେ କାଳବୈଶାଖୀ ବର୍ଷା ତାଣ୍ଡବ ରଚିଛି । ମାତ୍ର ଘଂଟାଏ ବର୍ଷାରେ ବାଲେଶ୍ୱର, ଭଦ୍ରକ ସମେତ ମୟୁରଭଂଜ କିଛି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କୁଆପଥର ମାଡ଼ରେ ୨୫ ଜଣ ବ୍ୟକ୍ତି ଆହତ ହୋଇଥିବା ବେଳ ଶହେରୁ ଅଧିକ ଲୋକଙ୍କ ଘରର ଛାତ ନଷ୍ଟ ହୋଇଯାଇଛି । କୁଆପଥର ଗୁଡ଼ିକର ଓଜନ ପ୍ରାୟ ପାଂଚ ଶହ ଗ୍ରାମରୁ ୨ କିଲୋ ଗ୍ରାମ ରହିଥିବା କୁହାଯାଇଛି ।

କୁଆପଥର ମାଡ଼ରେ ଆହତ ହୋଇଥିବା ବ୍ୟକ୍ତି ରେମୁଣା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଅନ୍ୟପଟେ ଅଦିନିଆ ବର୍ଷା ପାଇଁ ଶହ ଶହ ହେକ୍ଟର ଜମିରେ ରବି ଫସଲ ମଧ୍ୟ ନଷ୍ଟ ହୋଇଯାଇଛି । ବାଲେଶ୍ୱର, ଭଦ୍ରକ, ମୟୁରଭଂଜ ଜିଲ୍ଲାରୁ ସବୁଠାରୁ ଅଧିକ କ୍ଷତି ହୋଇଛି ବାଲେଶ୍ୱର ଜିଲ୍ଲାରେ । କାଳବୈଶାଖୀ ପ୍ରଭାବରେ ଅନେକ ସମୟ ବିଦ୍ୟୁତ ସରବରାହ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା ।