କ୍ରିପଟୋ କାହାଣୀରେ ଚର୍ଚ୍ଚାକୁ ଆସିଲା ଡାକୁର ଆୟ ଉପରେ ଟିକସ । ଚମ୍ବଲ ଡାକୁର ଆୟ ଉପରେ ଟିକସ ଲାଗିବା ନେଇ ରାୟ ଦେଇଥିଲେ ସୁପ୍ରିମକୋର୍ଟ

201

କନକ ବ୍ୟୁରୋ: ଜୁଆ ଓ ଘୋଡା ଦୌଡ ପରି କ୍ରିପଟୋ କରେନ୍ସିରୁ ଆୟ ମଧ୍ୟ ବେଆଇନ୍ । ହେଲେ ସରକାର ବଜେଟରେ ଏହା ଉପରେ ୩୦ ପ୍ରତିଶତ ଟିକସ ବସାଇଛନ୍ତି । ଆଉ ଏ ପରିପ୍ରେକ୍ଷୀରେ ସାମ୍ନାକୁ ଆସୁଛି ଏକ ପୁରୁଣା ରୋଚକ କାହାଣୀ । ଚମ୍ବଲର ଡାକୁ ପିଆରା ସିଂ ସଂପର୍କରେ ସୁପ୍ରିମକୋର୍ଟ କହିଥିଲେ, ଆୟ ଆଇନସିଦ୍ଧ ହେଉ କିମ୍ବା ବେଆଇନ୍ ତା’ଉପରେ ସରକାରଙ୍କୁ ଟିକସ ଦେବାକୁ ପଡିବ ।

କ୍ରିପଟୋ କରେନ୍ସି କାରବାରକୁ ସରକାର ଆଇନସିଦ୍ଧ କିମ୍ବା ବୈଧ ଘୋଷଣା କରିନାହାନ୍ତି, କିନ୍ତୁ ସେହି କାରବାରରୁ ଟିକସ ନେବାକୁ ଘୋଷଣା କରିଛନ୍ତି । ତେଣୁ ଅନେକ ଏହାକୁ ବେଆଇନ ବୋଲି କହିବା ଆରମ୍ଭ କରିଛନ୍ତି । ହେଲେ ବଜେଟ୍ ଉପସ୍ଥାପନ ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଥିଲେ ଯେ, ଆୟ ଯେଉଁ ସୂତ୍ରରୁ ହେଉପଛେ ଆୟକର ବ୍ରାକେଟକୁ ଆସୁଥିଲେ ସରକାର ତା ଉପରୁ ଟିକସ ନେବେ ।

ଆମ ଦେଶରେ ଆୟକର ଅଧିନିୟମ ୧୯୬୧ ଆଧାରରେ ଟିକସ ଆଦାୟ ହେଉଛି । ଏଥିରେ ଆୟ ଉପରେ ଟିକସ ବସାଇବାକୁ କୁହାଯାଇଛି । ତେବେ ସେହି ଆୟ ଆଇନ ସମ୍ମତ କିମ୍ବା ବେଆଇନ ସେନେଇ କିଛି କୁହାଯାଇ ନାହିଁ । ତେବେ ଏହି କ୍ରମରେ ଅତୀତର ଏକ ରୋଚକ କାହାଣୀ ସାମ୍ନାକୁ ଆସିଛି । ଆୟ ଆଇନ ସମ୍ମତ ହେଉ କିମ୍ବା ବେଆଇନ, ଆୟକର ବିଭାଗ ତା ଉପରେ ଟିକସ ଆଦାୟ କରିପାରବ ବୋଲି ସୁପ୍ରିମକୋର୍ଟଙ୍କ ରାୟ ବି ରହିଛି ।

ଚମ୍ବଲ ଡାକୁର ଆୟକର କାହାଣୀ

  • ୧୯୫୮ରେ ଭାରତ-ପାକିସ୍ତାନ ସୀମାରୁ ଧରା ପଡିଥିଲା ଚମ୍ବଲର ଡାକୁ ପିଆରା ସିଂ
  • ତାର ସମସ୍ତ ଚୋରି ସଂପତ୍ତି, ଟଙ୍କା ଓ ସୁନାକୁ ଜବତ କରିଥିଲା ପୋଲିସ
  • ଆୟକର ଅଧିନିୟମ ୧୯୨୨ରେ ତାର ଆୟ ଉପରେ ଟିକସ ବସାଯାଇଥିଲା
  • ମାମଲା ସୁପ୍ରିମକୋର୍ଟ ଯିବା ପରେ ପିଆରା ଯୁକ୍ତି କରିଥିଲା ସେ ଆୟକର ଦେବାକୁ ଅକ୍ଷମ
  • କାରଣ ତାର ସମସ୍ତ ସଂପତ୍ତିିକୁ ବେଆଇନ ଦର୍ଶାଇ ଜବତ କରିନେଇଛନ୍ତି ସରକାର
  • ସୁପ୍ରିମକୋର୍ଟଙ୍କ ରାୟ ଥିଲା- ଆୟ ବେଆଇନ ହେଉ ବା ଆଇନ ସମ୍ମତ ଟିକସ ପଡିବ

କ୍ରିପଟୋ କରେନ୍ସିର ମୁକାବିଲା କରିବା ପାଇଁ ଭାରତ ସରକାର ନିଜସ୍ୱ ଡିଜିଟାଲ କରେନ୍ସି ଆଣିବାକୁ ଯାଉଛନ୍ତି । ଯାହାକୁ ଆଗାମୀ ଏପ୍ରିଲରେ ଜାରି କରିବେ ଭାରତୀୟ ରିଜର୍ଭ ବ୍ୟାଙ୍କ । ହେଲେ କ୍ରିପଟୋ କରେନ୍ସିରୁ ଆୟ ଉପରେ ୩୦ ପ୍ରତିଶତ ଟିକସ ଆଦାୟ କରିବାକୁ ୨୦୨୨-୨୩ ବଜେଟରେ ଘୋଷଣା କରାଯାଇଛି ।