ବଡ଼ଦାଣ୍ଡରୁ ଉଠା ଦୋକାନ ହଟାଇବାକୁ ମୁନିସିପାଲିଟିର ନିର୍ଦ୍ଦେଶ । ୧୯ ତାରିଖ ଭିତରେ କ୍ୟାବିନ ଓ ଉଠା ଦୋକାନ ହଟାଯିବ । ପ୍ରଶାସନ ପକ୍ଷରୁ ମାଇକ ଯୋଗେ ହେଲା ଘୋଷଣା

232

କନକ ବ୍ୟୁରୋ:  ଦିନ ପାଖଉଛି, ଆଶା ବଢୁଛି । ରଥଯାତ୍ରା ପାଳନ ଦିଗରେ ପ୍ରସ୍ତୁତି ଆଉ ଏକ ପାଦ ଆଗକୁ ବଢ଼ିଛି । ଆଜି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଦେଉଳ ପୁରୋହିତଙ୍କୁ ରଥ ପ୍ରତିଷ୍ଠା ଲାଗି ଅନୁମତି ପତ୍ର ଦିଆଯାଇଛି । ସେହିପରି  ଆସନ୍ତା ତିନି ଦିନ ଭିତରେ ବଡଦାଣ୍ଡରେ ଥିବା ସମସ୍ତ ଉଠା ଦୋକାନ ବଡଦାଣ୍ଡରୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଏ ନେଇ ଆଜି ସନ୍ଧ୍ୟାରେ ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଚାର କରାଯାଇ ଦୋକାନୀଙ୍କୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଙ୍ଗଳବାର ଶ୍ରୀମନ୍ଦିର ପୁରୋହିତ ଡ.ସିଦ୍ଧେଶ୍ୱର ମହାପାତ୍ରଙ୍କୁ ତିନିରଥ ପ୍ରତିଷ୍ଠା ଲାଗି ଅନୁମତି  ଦିଆଯାଇଛି । ଏହା ଫଳରେ ରଥଯାତ୍ରା ହେବା ଦିଗରେ କାମ ଗୋଟିଏ ପାଦ ଆଗକୁ ବଢ଼ିଛି ବୋଲି କୁହାଯାଇପାରିବ। କାରଣ ରଥଯାତ୍ରା ଦିନ ପ୍ରଥମେ ରଥ ପ୍ରତିଷ୍ଠା କାର୍ଯ୍ୟ ପୁରୋହିତଙ୍କ ଦ୍ୱାରା ସମାପିତ ହେବା ପରେ ରଥ ଗଡ଼ିଥାଏ ।

ଆସନ୍ତା ୨୩ରେ ରଥଯାତ୍ରା ହେବାକୁ ଥିବା ବେଳେ ଓଡ଼ିଶା ହାଇକୋର୍ଟ ଏ ନେଇ ଚୂଡ଼ାନ୍ତ ନିଷ୍ପତ୍ତି ରାଜ୍ୟ ସରକାର ଗ୍ରହଣ କରିବେ ବୋଲି ଏସଂକ୍ରାନ୍ତୀୟ ଏକ ମାମଲାର ବିଚାର କରି ରାୟ ଦେଇଛନ୍ତି । ଏଥିିସହ ମାନ୍ୟବର ହାଇକୋର୍ଟ ଆବଶ୍ୟକସ୍ଥଳରେ ଭକ୍ତଙ୍କ ଅନୁପସ୍ଥିତିରେ ହାତୀ ଲଗାଇ କିମ୍ବା ମେସିନ୍‌ ସାହାଯ୍ୟରେ ରଥ ଟଣାଯାଇ ପାରେ ବୋଲି ମତ ରଖିଥିଲେ । ମାତ୍ର ଏହାକୁ ବିରୋଧ କରି ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଛି । ଫଳରେ ରଥଯାତ୍ରା ସମ୍ପର୍କରେ ଚୂଡାନ୍ତ ନିଷ୍ପତ୍ତି ସୁପ୍ରିମକୋର୍ଟ ନେବେ ବୋଲି ବର୍ତ୍ତମାନ ମତ ପ୍ରକାଶ ପାଇଛି ।