ପୁଣି ମାଓବାଦୀଙ୍କୁ ଧକ୍କା : ଯବାନଙ୍କ ସହ ଗୁଳି ବିନିମୟରେ ଟଳି ପଡ଼ିଲେ ୩ ମହିଳା ମାଓବାଦୀ

ଗତକାଲି ଛତିଶଗଡ଼ ଦାନ୍ତେୱାଡ଼ା କୁଂଜରସ ଜଙ୍ଗଲରେ କମ୍ବିଂ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ଯବାନ ଓ ମାଓବାଦୀ

131

କନକ ବ୍ୟୁରୋ : ପୁଣି ଲାଲ ବାହିନୀକୁ ଧକ୍କା । ଯବାନଙ୍କ ସହ ଗୁଳି ବିନିମୟରେ ଟଳି ପଡ଼ିଲେ ତିନି ମହିଳା ମାଓବାଦୀ । ସୀମାନ୍ତବର୍ତ୍ତୀ ଛତିଶଗଡ ଦାନ୍ତେବାଡ଼ା ଜିଲ୍ଲା କୁଞରସ ଜଙ୍ଗଲରେ ପୋଲିସର କୁମ୍ବିଙ୍ଗ ଅପରେସନ ବେଳେ ମୁହାଁମୁହିଁ ହୋଇଥିଲେ ଯବାନ ଓ ମାଓବାଦୀ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ପରେ ପୋଲିସର ସର୍ଚ୍ଚ ଅପରେସନ ବେଳେ ତିନି ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ମୃତଦେହ ସମେତ ବିସ୍ଫୋରକ,ବନ୍ଧୁକ ଓ ମାଓ ସାମଗ୍ରୀ ଜବତ ହୋଇଛି । ମୃତ ମାଓବାଦୀମାନେ ହେଲେ କଟକଲ୍ୟାଣ ମାଓ ସଂଗଠନର ସଦସ୍ୟ ରାଜେ ମୁଚାକି, କେଏଏମସି , ସଂଗଠନର ମୁଖ୍ୟ ଗୀତା ମାର୍କମ ଓ ସିଏନ୍ଏମ୍ ମାଓବାଦୀ ସଂଗଠନର ମୁଖ୍ୟ ଜ୍ୟୋତି । ସମସ୍ତଙ୍କ ନାଁରେ ୫- ୫ ଲକ୍ଷ ଟଙ୍କା ଘୋଷଣା କରାଯାଇଥିଲା ।

ସୁକମାର କୁକାନର ଥାନା ଅଧୀନ ଦୋଲେରାବାସିନୀ ରାଜେ ମୁଚକୀ ଥିଲେ କାତେକଲ୍ୟାଣ ଏରିଆ କମିଟି ସଦସ୍ୟ ତଥା ମିଲିଟାରି ଇଣ୍ଟେଲିଜେନ୍‌ସ୍‌ ମୁଖ୍ୟ। ସୁକମା ଅନ୍ତର୍ଗତ ଚିନ୍ତାଲନର୍‌ବାସିନୀ ଗୀତା ମର୍‌କାମ୍‌ ଥିଲେ କାତେକଲ୍ୟାଣ ଏରିଆ କମିଟି ସଦସ୍ୟ ତଥା ‘କେଏଏମ୍‌ ଏସ୍‌’ର ମୁଖ୍ୟ। ଅରନପୁର ଅଞ୍ଚଳର ରେଓ୍ଵାଲିବାସିନୀ ଜ୍ୟୋତି ନୁପ୍ପୋ ଥିଲେ କାତେକଲ୍ୟାଣ ଏରିଆ କମିଟିର ସଦସ୍ୟ ତଥା ‘ସିଏନ୍‌ଏମ୍‌’ର ମୁଖ୍ୟ । ଘଟଣାସ୍ଥଳରୁ ଗୋଟିଏ ୧୨ ବୋର୍‌ ବନ୍ଧୁକ, ଦୁଇଟି ଦେଶୀ ରିଭଲ୍‌ଭର୍‌, ଗୋଟିଏ ଏକନଳୀଆ ବନ୍ଧୁକ, ଦୁଇଟି ‘ଆଇଇଡି’, ତାର, ଔଷଧ, ମାଓବାଦୀ ସାହିତ୍ୟ ଏବଂ ଦୈନନ୍ଦିତ ବ୍ୟବହୃତ ସାମଗ୍ରୀ ମଧ୍ୟ ଉଦ୍ଧାର କରାଯାଇଛି ।