ବାଉନ ବଜାର ତେପନ ଗଳିରେ ଆଉ ଗଡୁନି ରିକ୍ସା: କଟକିଆଙ୍କ ପାଇଁ ଅଲୋଡ଼ା ହୋଇଗଲାଣି ତିନି ଚକିଆ ଯାନ

192

କନକ ବ୍ୟୁରୋ: ୫୨ ବଜାର ୫୩ ଗଳିରେ ଆଉ ଗଡୁନାହିଁ ରିକ୍ସା । କଟକିଆଙ୍କ ପାଇଁ ଅଲୋଡା ହୋଇଗଲାଣି ରିକ୍ସା । ଦଶହରା ମେଢରୁ ବାଲିଯାତ୍ରା ସବୁ ବେଳେ ଖୋଜା ପଡୁଥିବା ରିକ୍ସା ପ୍ରତି ଆଗ୍ରହ କମିଯାଉଛି । ପରିଶ୍ରମ ଅନୁସାରେ ପାରିଶ୍ରମିକ ମିଳୁନଥିବା କହୁଛନ୍ତି ରିକ୍ସା ଚାଳକ ।

ରିକ୍ସା । ହୁଏତ ଏବେ, ଆଧୁନିକ ଯୁଗର ଏକ ଅଲୋଡ଼ା ଯାନ । କଟକ ଭଳି ସହରରୁ ଯେମିତି ଉଭେଇ ଯାଉଛି, ରିକ୍ସା । ନାଁ ତା’ର ସ୍ୱର ଶୁଭୁଛି, ନା’ ଚାହିଦା ଅଛି । ଦିନ ଥିଲା, କଟକର ଗଳି କନ୍ଦିରେ ଘୁରି ବୁଲୁଥିଲା ରିକ୍ସା । ପୂଜା ଭିଡ଼ଠୁ ଆରମ୍ଭ କରି ବାଲିଯାତ୍ରା । ସହଜରେ ଗନ୍ତବ୍ୟ ସ୍ଥଳରେ ପହଂଚଯାଇ ଦେଉଥିଲା ଏହି ୩ ଚକିଆ ଯାନ । ହେଲେ ଯୁଗ ବଦଳିବା ସହ ବଦଳି ଯାଇଛି ପରିବହନର ମାଧ୍ୟମ ।

କୁନା ମଲ୍ଲିକ । ଦୀର୍ଘ ୪୦ ବର୍ଷ ଧରି କଟକ ସହରରେ ରିକ୍ସା ଚଲାଇ ଆସୁଛନ୍ତି । ରିକ୍ସାର ଉତ୍ଥାନରୁ ପତନ ସବୁ ଦେଖିଛନ୍ତି । ଏହି ରିକ୍ସା ଚଲାଇ ପିଲଙ୍କୁ ମଣିଷ କରିଛନ୍ତି, ଝିଅଙ୍କ ବିବାହ କରିଛନ୍ତି । ହେଲେ ଏବେ କିନ୍ତୁ ସ୍ଥିତି ବଦଳିଯାଇଛି । ରିକ୍ସା ଚଳାଇ ପରିବାର ପୋଷିବା ଏବେ ସଂଭବ ହେଉନାହିଁ । ଦିନ ଥିଲା କଟକରେ ହଜାର ହଜାର ସଂଖ୍ୟାରେ ରିକ୍ସା ଚାଲୁଥିଲା । ହେଲେ ଏବେ ସମୟ ବଦଳିଯାଇଛି ।

ଯେତେବେଳେ ସହରରେ ରିକ୍ସା ସଂଖ୍ୟା ଅଧିକ ଥିଲା ସେତେବେଳେ ମହାନଗର ନିଗମ ଫି ନେଇ ଲାଇସେନ୍ସ ଦେଉଥିଲା । ଲାଇସେନ୍ସ ପ୍ଲେଟ୍ର ଚିତ୍ର ଏବେ ବି ସାଇତା ରହିଛି । ହେଲେ ରିକ୍ସା ସଂଖ୍ୟା ବହୁ ମାତ୍ରାରେ କମୁଥିବା ଦେଖି ଗତ ୨୦୧୮ ରୁ ସମ୍ପୂର୍ଣ ଭାବେ ରିକ୍ସା ପାଇଁ ଲାଇସେନ୍ସ ଦେବା ସମ୍ପୂର୍ଣ ବନ୍ଦ୍ କରି ଦିଆଯାଇଛି ।ସହରରେ କିଛି ରିକ୍ସା ମାଲିକ ଏବେ ରିକ୍ସା ବିକି ଅନ୍ୟାନ୍ୟ ବ୍ୟବସାୟ କଲେଣି ତ ଆଉ କିଛି ମାଲିକଙ୍କ ପାଖେ ଏବେ ଅଳ୍ପ କେଇଖଣ୍ଡ ରିକ୍ସା ପଡ଼ି ରହିଛି ।

ବଦଳୁଥିବା ସମୟ ଅନୁସାରେ କଟକ ସହରରୁ ରିକ୍ସା ହୁଏତ ଲୋପ ପାଇଯିବ । ହେଲେ ରିକ୍ସା ଚାଳକଙ୍କ ଜୀବିକାର ବିକଳ୍ପ ଇ ରିକ୍ସା କେତେ ପୂରଣ କରିପାରିବ ତାହା ଆଗାମୀ ସମୟ ହିଁ କହିବ ।