ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ, ୪ ଯବାନ ସହୀଦ

594

କନକ ବ୍ୟୁରୋ : ଭାରତୀୟ ସୁରକ୍ଷାକର୍ମୀ ପାକିସ୍ତାନର ଏକ ବଡ ଚକ୍ରାନ୍ତକୁ ପଣ୍ଡ କରିଦେଇଛନ୍ତି । ଜମ୍ମୁ-କାଶ୍ମୀର ସୀମାନ୍ତରେ ରବିବାର ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମଧ୍ୟରେ ହୋଇଥିବା ଗୁଳି ବିନିମୟରେ ୩ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହେବା ସହ ଭାରତୀୟ ସେନାର ୪ ଜଣ ଯବାନ ସହୀଦ ହୋଇଛନ୍ତି । ଏହି ୪ ଜଣ ଯବାନଙ୍କ ମଧ୍ୟରେ ଜଣେ ବିଏସଏଫ୍ ଯବାନ ଥିବା ଜଣାପଡିଛି ।
ଏଭଳି ଗୁଳିବିନିମୟ ଜମ୍ମୁ-କାଶ୍ମୀରର କୁପୱାଡା ସେକ୍ଟରରେ ଦେଖିବାକୁ ମିଳିଛି । ମିଳିଥିବା ସୂଚନା ମୁତାବକ ଉତ୍ତର କାଶ୍ମୀରର ମାଛଲି ସେକ୍ଟର ଠାରେ ସେନା ତରଫରୁ କରାଯାଉଥିବା ଅପରେଶନ ବେଳେ ୩ ଜଣ ଆତଙ୍କବାଦୀ ନିହତ ହୋଇଥିଲେ । ଥଣ୍ଡା ଆରମ୍ଭ ହେବା ପୂର୍ବରୁ ପାକିସ୍ତାନୀ ଆତଙ୍କବାଦୀ ମାନେ ବିଭିନ୍ନ ରାସ୍ତାଦେଇ ଭାରତର ସୀମା ଭିତରକୁ ଅନୁପ୍ରବେଶ କରିବାକୁ ଆରମ୍ଭ କରିଛନ୍ତି । ଏନେଇ ପାକିସ୍ତାନ ସରକାରଙ୍କର ଉର୍ଦ୍ଦେଶ୍ୟ ରହିଛି କି ଯେତେ ଅଧିକ ଆତଙ୍କବାଦୀ ସୀମା ପାର ହୋଇ ଜମ୍ମୁ-କାଶ୍ମୀରରେ ପ୍ରବେଶ କରିବେ କାଶ୍ମୀରରେ ସେତେ ଅଶାନ୍ତ ପରିସ୍ଥିତି ସୃଷ୍ଟି କରାଯାଇ ପାରିବେ ।
ଅନ୍ୟପଟେ ଏଭଳି ସ୍ଥିତି ଦେଖି ଭାରତୀୟ ସେନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡା କଡି କରାଯାଇଛି । ଏହାଦ୍ୱାରା ବିଭିନ୍ନ ସମୟରେ ପାକିସ୍ତାନ ପକ୍ଷରୁ କରାଯାଉଥିବା ଅନୁପ୍ରବେଶକୁ ରୋକାଯିବା ସହିତ ତଲାସି ଅଭିଯାନ ବେଳେ ବହୁ ପରିମାଣର ବନ୍ଧୁକ ଓ ଗୋଳାବାରୁଦ ଜବତ୍ କରାଯାଇଛି ।
ସୂଚନା ମୁତାବକ ଶନିବାର ରାତିରେ ବିଏସଏଫ୍ ଯବାନ ମାନେ ସୀମା ନିକଟରେ ପହରା ଦେଉଥିବା ବେଳେ କିଛି ଆତଙ୍କବାଦୀ ଗତିବିଧି ସେମାନଙ୍କ ନଜରକୁ ଆସିଥିଲା । ଏହାପରେ ବିଏସଏଫ୍ ପକ୍ଷରୁ ସେମାନଙ୍କ ଉପରକୁ ଗୁଳି ଚଳନା କରାଯାଇଥିଲା । ଏଥିରେ ଜଣେ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିଲା । ଏହି ଗୁଳିବିନିମୟ ସକାଳ ୪ ଟା ଯାଏଁ ଚାଲିଥିଲା । ଏଥିରେ ଜଣେ ବିଏସଏଫ୍ ଯବାନ ବି ସହୀଦ ହୋଇଥିଲେ ।
ଏ ଖବର ସେନା କ୍ୟାମ୍ପରେ ପହଂଚିବା ପରେ ବହୁ ସଂଖ୍ୟାର ସୁରକ୍ଷାକର୍ମୀ ସେଠାରେ ପହଂଚିଥିଲେ । ଆତଙ୍କବାଦୀଙ୍କ ଗତିବିଧି ଉପରେ ନଜର କରିସାରିବା ପରେ ସେନା ପକ୍ଷରୁ ରବିବାର ସକାଳ ୧୦.୨୦ ରେ ସେମାନଙ୍କ ଉପରେ ଗୁଳିଚାଳନା କରାଯାଇଥିଲା । ଏହାପରେ ଆତଙ୍କବାଦୀ ମାନେ ବି ସେନା ଉପରକୁ ଗୁଳି ଚଳାଇଥିଲେ । ଏଥିରେ ୨ ଜଣ ଆତଙ୍କବାଦୀ ନିହତ ହେବା ସହ ୩ ଜଣ ସୁରକ୍ଷାକର୍ମୀ ସହୀଦ ହୋଇଛନ୍ତି ।