ସୋନପୁରରେ ଦୁର୍ଘଟଣାରେ ଗଲା ତିନି ଛାତ୍ରଙ୍କ ଜୀବନ। ଆସିଥିଲେ ପରୀକ୍ଷା ଦେବାକୁ, ଘରକୁ ଫେରିଲା ଶବ।

313

କନକ ବ୍ୟୁରୋ: ନିଜ ଛୁଆକୁ ହରାଇ କାନ୍ଦି କାନ୍ଦି ଲୋଟିପଡ଼ୁଛି ମାଆ । ପରିବାର ଠାରୁ ପଡୋଶୀ କାହା ଆଖିରୁ ଲୁହ ଶୁଖୁନାହିଁ । ଏପରି ହୃଦୟ ବିଦାରକ ଘଟଣା ଘଟିଛି ସୋନପୁର ଜିଲ୍ଲା ସଦର ବ୍ଲକସ୍ଥିତ ସରଧାପାଲି ବିଦ୍ୟାଳୟ ନିକଟରେ । ପିଲାଙ୍କୁ ପରୀକ୍ଷା ଦେବା ପାଇଁ ସକାଳୁ ଖୁସିରେ ବିଦା କରିଥିଲେ । କିନ୍ତୁ ପରୀକ୍ଷା ସରିଲା ବେଳକୁ ଆସିଲା ଦୁଃଖ ଖବର । ପରୀକ୍ଷା ଦେଇ ଫେରୁଥିବା ବେଳେ ସ୍କୁଲ ଫାଟକ ନିକଟରେ ଯମଦୂତ ଭଳି ମାଡ଼ି ଆସିଥିଲା ଇନୋଭା କାର । ଦ୍ରୁତ ଗତିରେ ଆସି ମାଡ଼ି ଯାଇଥିଲା ପିଲାଙ୍କ ଉପରେ । ଦୁର୍ଘଟଣାରେ ଷଷ୍ଠଶ୍ରେଣୀରେ ପଢୁଥିବା ସୁବ୍ରତ ଭୋଇ, ରଜେଣ ପେରା ଓ ରାଜା ପେରାଙ୍କ ଜୀବନ ଯାଇଛି । ପିଲାଙ୍କ ମୃତ୍ୟୁ ଖବର ପାଇଁ ବାପାମାଆଙ୍କ ଚେତା ବୁଡ଼ିଯାଇଛି । କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା ସୋନପୁର ଡାକ୍ତରଖାନା । ଅନ୍ୟ ଜଣେ ଛାତ୍ର କପିଳ ଭୋଇଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ସ୍କୁଲର ଫାଟକ ବି ଭାଙ୍ଗି ଯାଇଥିଲା । ଦ୍ରୁତ ଗତି ହିଁ ଛୋଟ ଛୋଟ କୋମଳମତି ପିଲାଙ୍କ ଜୀବନ ନେଇଯାଇଛି । ଆଉ ପରିବାର ଉପରେ ପଡିଛି ଚଡ଼କ । ସୋନପୁର ଉପଜିଲ୍ଲାପାଳ ଘଟଣାସ୍ଥଳ ଓ ଡାକ୍ତରଖାନାକୁ ଆସି ଆହତ ଛାତ୍ରଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବୁଝିବା ସହ ପରିବାରକୁ ସମବେଦନା ଜଣାଇଛନ୍ତି । ଘଟଣା ସ୍ଥଳର ପ୍ରବଳ ଉତେଜନା ସୃଷ୍ଟି ହେବାରୁ ଦୁଇ ପ୍ଲାଟୁନ ପୁଲିସ ଫୋର୍ସ ସ୍ଥିତିକୁ ଆୟତ କରିଛନ୍ତି ।

ମୃତକଙ୍କ ପରିବାରକୁ ୩ ଲକ୍ଷ ଟଙ୍କା ଲେଖାଁଏ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆହତ ଛାତ୍ରଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବା ସହ ପରିବାରକୁ ୫୦ ହଜାର ଟଙ୍କା ଘୋଷଣା କରାଯାଇଛି ।