କନକ ବ୍ୟୁରୋ: ଏକାବେଳେ ୩ ଭଉଣୀ ହେବେ ଡାକ୍ତର । ଶ୍ରୀନଗରରେ ଗୋଟିଏ ପରିବାରର ୩ ଭଉଣୀ ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ପୁରା ଅଞ୍ଚଳ ପାଇଁ ଉଦାହରଣ ପାଲଟିଛନ୍ତି । ସବୁଠାରୁ ବଡ କଥା ହେଉଛି ୩ ଭଉଣୀ ପ୍ରଥମ ପ୍ରୟାସରେ ହିଁ ଏପରି ସଫଳତା ପାଇଁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

Advertisment

ନିଟ୍ ପରୀକ୍ଷା ଫଳ ଆସିବା ସହ ଶ୍ରୀନଗରର ତିନି ଭଉଣୀ ଅରବିଶ, ରୁତବା, ତୁବା ବସିରଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଗୋଟିଏ ପରିବାରର ୩ ଭଉଣୀ । ଏମାନଙ୍କ କହିବା ମୁତାବକ, ଏମାନଙ୍କ ମନରେ ଡାକ୍ତର ହେବାର ନିଶା ଏପରି ଚଢିଥିଲା ଯେ, ଏକାଦଶ ଶ୍ରେଣୀରୁ ହିଁ ନିଟ୍ ପାଇଁ ପ୍ରସ୍ତୁତି ଜୋରଦାର ଆରମ୍ଭ କରିଦେଇଥିଲେ । ୩ଜଣ ମିଶି ଗୋଟିଏ ସ୍କୁଲରେ ପାଠପଢିବା ସହ ଗୋଟିଏ କୋଚିଙ୍ଗ କ୍ଲାସରେ ଯୋଗ ଦେଇଥିଲେ । ୩ ଭଉଣୀ ଏକାଠି ମିଶି ଘରେ ପ୍ରସ୍ତୁତି କରନ୍ତି  । ଶେଷରେ ସେମାନଙ୍କ କଠିନ ପରିଶ୍ରମ ସୁଫଳ ଆଣିଛି । ପ୍ରଥମ ପ୍ରୟାସରେ ହିଁ ୩ ଭଉଣୀ ନିଟ୍ ଉତ୍ତୀର୍ଣ୍ଣ ହୋଇ ଡାକ୍ତରୀ ପଢିବାକୁ ଯୋଗ୍ୟ ହୋଇଛନ୍ତି । ଏଥିପାଇଁ ୩ ଭଉଣୀ ବାପା, ମାଙ୍କୁ ଶ୍ରେୟ ଦେଇଛନ୍ତି । କାରଣ ସେମାନଙ୍କ ସ୍ୱପ୍ନକୁ ପୂରଣ କରିବାକୁ ବାପା, ମା’ ସବୁପ୍ରକାର ସହଯୋଗ କରିଛନ୍ତି । ଗୋଟିଏ ପରିବାରର ୩ଝିଅଙ୍କ ଏଭଳି ଅଭୁତପୂର୍ବ ସଫଳତା ଯୋଗୁଁ ସେମାନଙ୍କ ପରିବାରକୁ ଶୁଭେଚ୍ଛା ଜଣାଇବାକୁ ସାହିପଡିଶାଙ୍କ ସୁଅ ଛୁଟୁଛି ।