କନକ ବ୍ୟୁରୋ: ରାଜ୍ୟରେ ବିଜେପି ସରକାରକୁ ୨ମାସ ନପୁରୁଣୁ, ଦଳ ଏବେ ୨୦୨୯ ପ୍ରସ୍ତୁତି ଆରମ୍ଭ କରିଦେଲାଣି। ପୁରୀରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଏ ନେଇ ଖସଡ଼ା ପ୍ରସ୍ତୁତ ହୋଇଛି। ଏହାସହ ୨୦୨୪ ନିର୍ବାଚନରେ ବିଜେପିର ବିଜୟ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ପ୍ରଶଂସା କରିବା ସହ ବିଜୟର ଶ୍ରେୟ ଦେଇଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ୍ୟ ଜେପି ନଡ୍ଡା।
ସାଧାରଣ ଲୋକଙ୍କ ପାଇଁ କାମ କରିବା। ସାଧାରଣ ଲୋକଙ୍କ ସମସ୍ୟା ବୁଝିବା। ଆଉ ସଂଗଠନ ମାଧ୍ୟମରେ ସରକାରଙ୍କ ପାଖରେ ପହଞ୍ଚିବ ଲୋକଙ୍କ ସମସ୍ୟା। ସେଥିପାଇଁ ବିଜେପିର ଏହି ତିନି ‘ସ’ ଥିଓରୀ। ପୁରୀରେ ଆୟୋଜିତ ବିଜେପିର ପଦାଧିକାରୀ ବୈଠକରେ ତିନି ‘ସ’ ଉପରେ ଦିଆଯାଇଛି ଗୁରୁତ୍ବ।
ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଦଳୀୟ କାର୍ଯ୍ୟକର୍ତାଙ୍କୁ ବିଜୟ ଶ୍ରେୟ ଦେବା ସହ ବିଜେଡିକୁ କଟାକ୍ଷ କରିଛନ୍ତି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା । କହିଛନ୍ତି,
- କାନ୍ଦୁଥିବା ଲୋକଙ୍କୁ କାନ୍ଦିବାକୁ ଦିଆଯାଉ
- ଏମାନଙ୍କ ଦ୍ବାରା କିଛି ହେବନି, ବିକାଶ କରିନାହାନ୍ତି। କେବଳ ବିକାଶ କାମରେ ବାଧା ସୃଷ୍ଟି କରିଛନ୍ତି।
ଦୁଇ ଦିନ ଧରି ଚାଲିବାକୁ ଥିବା ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଉଭୟ ସଂଗଠନ ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟପନ୍ଥା ଉପରେ ଖସଡ଼ା ପ୍ରସ୍ତୁତ କରାଯିବ। ଲୋକଙ୍କ ଭରସା ଓ ବିଶ୍ବାସକୁ ପୂରଣ କରିବା ଉପରେ ଗୁରୁତ୍ବ ଦିଆଯିବ। ଆଉ ଏହାକୁ ଅଧିକ ତ୍ବରାନ୍ବିତ କରିବା ପାଇଁ କର୍ମୀଙ୍କୁ ଟ୍ୟାକ୍ସ ଦେବାର ଯୋଜନା କରିଛି ଦଳ।
ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକାରିଣୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ପ୍ରଭାତୀ ପରିଡା, ସମସ୍ତ ସାଂସଦ ଓ ବିଧାୟକ, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ, ରାଜ୍ୟ ପ୍ରଭାରୀ ବିଜୟପାଲ ସିଂହ ତୋମର ଓ ସହପ୍ରଭାରୀ ଲତା ଉସେଣ୍ଡୀଙ୍କ ସହ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ।