ଲକ୍‌ଡାଉନ୍‌ରେ ବନ୍ଦ ହେଲା ୩ ରେଳ ଫାଟକ

424

କନକ ବ୍ୟୁରୋ : ଲକ୍‌ଡାଉନ୍‌ ଯୋଗୁଁ ଅଧିକାଂଶ ଯାତ୍ରୀବାହୀ ଟ୍ରେନ୍‌ ଚଳାଚଳ ବନ୍ଦ ରହିଛି। କେବଳ ଶ୍ରମିକ ସ୍ୱତନ୍ତ୍ର ଟ୍ରେନ୍, ମାଲବାହୀ ଟ୍ରେନ୍‌, ପାର୍ସଲ ଟ୍ରେନ୍‌ ଚାଲୁଛି। ଆଉ ଏହି ସମୟର ସଦୁପଯୋଗ କରି ପୂର୍ବତଟ ରେଳପଥ ପକ୍ଷରୁ ଏହା ଅଧୀନ‌ରେ ଥିବା ରେଳପଥର ଭିତ୍ତିଭୂମି ଉନ୍ନତି ଓ ରକ୍ଷଣ‌ାବେକ୍ଷଣ କରାଯାଇଛି। ଅଗ୍ରାଧିକାର ଭିତ୍ତିରେ ବିଭିନ୍ନ ନିରାପତ୍ତା ସମ୍ବନ୍ଧୀୟ କାର୍ଯ୍ୟ ସମ୍ପାଦିତ ହୋଇଛି। ଏହି ସମୟ ଅବଧି ମଧ୍ୟରେ ବିକଳ୍ପ ମାର୍ଗର ବ୍ୟବସ୍ଥା ସହ ୩ଟି ପ୍ରହରୀଯୁକ୍ତ ରେଳ ଫାଟକକୁ ବନ୍ଦ ହୋଇଛି। ବିଭିନ୍ନ ସ୍ଥାନରେ ୧୮ଟି ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ଉପମାର୍ଗର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରାଯାଇଛି। ଭଦ୍ରକ-ଖୋର୍ଦ୍ଧାରୋଡ ରେଲ୍‌ୱେ ସେକ୍ସନରେ ରୋଡ୍‌ ଓଭର୍‌ ବ୍ରିଜ୍‌ରେ ୩୬ ମିଟର ଲମ୍ବାର ୫ ଟି ଗାର୍ଡର ସ୍ଥାପନା କରାଯାଇଥିଲା।

ଏହାବ୍ୟତୀତ ୧୬୭ କିମି ରେଳ, ୭.୫ କିମି ସ୍ଲିପର୍‌, ୩୫୬ ସଂଖ୍ୟକ ଗ୍ଲୁଡ୍‌ ଜଏଣ୍ଟ୍‌ର ନବୀକରଣ, ୪୯ଟି ପୋଲର ପୁନଃନିର୍ମାଣ ଓ ୨୫୫୭ଟି ୱାଗନ୍‌ର ମରାମତି କାର୍ଯ୍ୟ କରାଯାଇଛି। ଶାଳଗାଁ-ରାଜଆଠଗଡ଼ ମଧ୍ୟରେ ତୃତୀୟ ଓ ଚତୁର୍ଥ ଲାଇନ୍ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ଚାରବାଟିଆ ଏବଂ ଗୁରୁଡ଼ିଝାଟିଆ ଷ୍ଟେସନଠାରେ, ଭଦ୍ରକ-ନିର୍ଗୁଣ୍ଡି ତୃତୀୟ ଲାଇନ୍ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ କପିଳାସ ରୋଡଠାରେ, ସମ୍ବଲପୁର-ତାଳଚେର ଦୋହରୀକରଣ ସମ୍ବନ୍ଧୀୟ କାର୍ୟ୍ୟ ଲାଗି ତାଳଚେର ରୋଡ ଷ୍ଟେସନରେ ଫୁଟ୍ ଓଭର ବ୍ରିଜ୍ ଗାର୍ଡର ସ୍ଥାପନା କରାଯାଇଛି। ୬୫୭ଟି ବଡ଼ ଓଭର୍ ହେଡ୍‌ ଉପକରଣ(ଓଏଚ୍‌ଇ) ଅନୁସୂଚିତ କାର୍ଯ୍ୟ ଓ ୨୯୮ଟି ସ୍ଥାନରେ ଟ୍ରାକ୍ ସର୍କିଟ୍ ରକ୍ଷଣାବେକ୍ଷଣ କାର୍ଯ୍ୟକୁ ମିଶାଇ କୋଟାଭାଲସା-କୋରାପୁଟ୍-କିରଣ୍ଡୁଲ(କେକେ) ଲାଇନ୍‌ରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ନନ୍‌-ଇଣ୍ଟରଲକିଂ ସମ୍ବନ୍ଧୀୟ କାର୍ଯ୍ୟଗୁଡ଼ିକର ପ୍ରସ୍ତୁତି କାମ ସମ୍ପୂର୍ଣ୍ଣ ହୋଇଛି। କେକେ ଲାଇନ୍‌ରେ ଦୋହରୀକରଣ ସମ୍ବନ୍ଧୀୟ କାର୍ଯ୍ୟ ପାଇଁ ୩୨ ହଜାର ୫୦୦ ଘନ ମିଟରର ପଥର ବ୍ଲାଷ୍ଟିଙ୍ଗ୍ କାର୍ଯ୍ୟ ହୋଇଛି।

ଯାତ୍ରୀଙ୍କ ସୁବିଧା ଲାଗି ୬ଟି ଷ୍ଟେସନରେ ଫୁଟ୍ ଓଭର ବ୍ରିଜ୍‌, ୪ଟି ଷ୍ଟେସନରେ ଲିଫ୍ଟ, ୮ଟି ଷ୍ଟେସନରେ ଦିବ୍ୟାଙ୍ଗଙ୍କ ପାଇଁ ଶୌଚାଳୟ, ୮ଟି ଷ୍ଟେସନରେ ପ୍ଲାଟ୍‌ଫର୍ମ ଉଚ୍ଚା କରିବା, ୬ଟି ଷ୍ଟେସନରେ ଅତିରିକ୍ତ ପ୍ଲାଟ୍‌ଫର୍ମ ସେଡ୍‌ର ବ୍ୟବସ୍ଥା ହୋଇଛି। ଏଥିସହ ବିଭିନ୍ନ ଷ୍ଟେସନରେ ୫୩୪ଟି ଷ୍ଟେନ୍‌ଲେସ୍ ଷ୍ଟିଲ୍ ବେଞ୍ଚ୍‌ର ବ୍ୟବସ୍ଥା ଓ ୨ଟି ଷ୍ଟେସନକୁ ଉନ୍ନତ କରାଯାଇ ଆଦର୍ଶ ଷ୍ଟେସନରେ ପରିଣତ କରାଯାଇଛି। ଏହି ସମୟ ମଧ୍ୟରେ ୧୦ଟି ଷ୍ଟେସନରେ ଯାତ୍ରୀମାନଙ୍କ ସୁବିଧା ନିମନ୍ତେ ଷ୍ଟେସନ ପରିକ୍ଷେତ୍ର ଓ ପ୍ରତୀକ୍ଷା ହଲ୍‌ ଉନ୍ନତୀକରଣ ହୋଇଛି। ଏହାବ୍ୟତୀତ ବିଦ୍ୟୁତ୍‌, ଯାନ୍ତ୍ରିକ, ସଙ୍କେତ ଓ ଦୂରସଞ୍ଚାର ସମ୍ବନ୍ଧୀୟ ଆହୁରି ଅନେକ ନିରାପତ୍ତା ଓ ରକ୍ଷଣାବେକ୍ଷଣ କାର୍ଯ୍ୟ ହାତକୁ ନିଆଯାଇଛି।