ଗୋରୁ ଦଲାଲ ସହ ବଟି ସଂପର୍କିତ ଆଲୋଚନା କରି ୩ ପୁଲିସ କର୍ମଚାରୀ ନିଲମ୍ବିତ: ଅଡିଓ ଭାଇରାଲ ପରେ ଆକ୍ସନ ନେଲେ ମୟୂରଭଂଜ ଏସପି

94

କନକ ବ୍ୟୁରୋ: ଗୋରୁ ଦଲାଲଙ୍କ ସହ ବଟି ସଂପର୍କିତ ଆଲୋଚନା କରି ନିଲମ୍ବିତ ହେଲେ ୩ ଜଣ ପୁଲିସ କର୍ମଚାରୀ । ମୟୂରଭଂଜ ଜିଲ୍ଲା ଏସପିଙ୍କ ନିର୍ଦେଶ କ୍ରମେ ନିଲମ୍ବିତ ହୋଇଛନ୍ତି ଏଏସ୍ଆଇ ସ୍ମୃତିରଂଜନ ସ୍ୱାଇଁ, ଏଏସ୍ଆଇ ଚନ୍ଦନ ସିଂ ଏବଂ କନେଷ୍ଟବଳ ଦୀପକ ପାଲବାବୁ ।

ତେବେ ଭାଇରାଲ ହୋଇଥିବା ଅଡିଓରେ ଗୋରୁ ଦଲାଲ ୬ ଜଣ ପୁଲିସ ଅଧିକାରୀଙ୍କ କଥା କହୁଥିବା ବେଳେ ଏସପି ୩ ଜଣଙ୍କୁ ନିଲମ୍ବିତ କରିଛନ୍ତି, ଅନ୍ୟମାନଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ହେବ, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି । ବାକି ତିନି ଜଣ ଅଫିସର କିଏ? ସେମାନଙ୍କୁ ପୋଲିସ ତଦନ୍ତ ପରିସରଭୁକ୍ତ କରିବ ତ ? ଖାଲି ଝାରପୋଖରିଆ ନାଁ ଅନ୍ୟ ଥାନାରେ ବି ହେଉଛି ଏଭଳି କାରବାର ? ଏଭଳି ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ବେଳେ ଜିଲ୍ଲା ଏସପି ନୀରବ ରହିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ସୀମାକୁ ଲାଗି ରହିଥିବା ମୟୁରଭଞ୍ଜ ଝାରପୋଖରିଆ ଥାନା ସାମ୍ନା ଦେଇଛି ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ଗୋରୁ ଚୋରା ଚାଲାଣର ମୁଖ୍ୟ ରାସ୍ତା ପାଲଟିଛି । ସେଥିପାଇଁ ନିୟମିତ ଭାବେ ଗୋରୁ ଦଲାଲମାନେ ଝାରପୋଖରିଆ ପୋଲିସକୁ ମୋଟା ଅଙ୍କର ବଟି ଦେଇ କାରବାର କରୁଛନ୍ତି ।