ଶିମିଳିପାଳ ଅଭୟାରଣ୍ୟ ଫରେଷ୍ଟଗାର୍ଡ ହତ୍ୟା ଘଟଣାରେ ୩ ଶିକାରୀଙ୍କୁ ଜେରା । ଶିମିଳିପାଳର ସବୁ ପ୍ରବେଶ ପଥକୁ ସିଲ୍ କରି ସର୍ଚ୍ଚ ଅପରେସନ ଜାରି 

208

କନକ ବ୍ୟୁରୋ: ଶିକାରୀ ଗୁଳିରେ ଫରେଷ୍ଟଗାର୍ଡଙ୍କ ମୃତ୍ୟୁ ଘଟଣା । କମ୍ବିଂ ଅପରେସନରେ ୩ ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ । ସେମାନଙ୍କୁ ଗୁପ୍ତ ସ୍ଥାନରେ ରଖି ପଚରାଉଚରା ଜାରି ରଖିଛି ପୋଲିସ । ୩ଜଣଙ୍କ ନିକଟରୁ ୫ଟି ଦେଶୀ ବନ୍ଧୁକ ଜବତ କରାଯାଇଛି । ଗୁରୁବାର ରାତିରେ ପୁଲିସର ସ୍ୱତନ୍ତ୍ର ଟିମ୍ ଶିମିଳିପାଳ ନିକଟ ଗାଁରେ ଅପରେସନ ଚଳାଇବା ବେଳେ ଏହି ସଫଳତା ମିଳିଛି । ଘଟଣାକୁ ମିଶାଇ ପୁଲିସ ମୋଟ ୬ ଶିକାରୀଙ୍କୁ ଧରିବା ସହିତ ୧୦ଟି ଦେଶୀ ବନ୍ଧୁକ ଜବତ କରିଛି ।

୩ଜଣ ଶିକାରୀ , ଫରେଷ୍ଟ ଗାର୍ଡ ବିମଲ ଜେନାଙ୍କ ହତ୍ୟା ଘଟଣାରେ ସଂପୃକ୍ତ ରହିଥିବା ଜଣା ପଡ଼ିଥିବା ବେଳେ ଅନ୍ୟମାନଙ୍କୁ ବିଭିନ୍ନ କେସ୍ ଆଧାରରେ ସେମାନଙ୍କୁ ପୋଲିସ ଗିରଫ କରି ତଦନ୍ତ ଜାରି ରଖିଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଦକ୍ଷିଣ ଓ ଉତର ବନ୍ୟପ୍ରାଣୀ ବନଖଣ୍ଡର ସୀମାନ୍ତ ଅଂଚଳରେ ଘଟିଥିଲା ଏହି ଗୁଳିକାଣ୍ଡ ଘଟଣା । ଅଭୟାରଣ୍ୟରେ ପେଟ୍ରୋଲିଂ ସମୟରେ ଶିକାରୀ ପ୍ରବେଶ ନେଇ ଖବର ମିଳିଥିଲା । ୨ଟି ବାରହା ଓ ୩ଟି କୁଟୁରା ଶିକାର କରି ଏକ ବିଶାଳ ଶିକାରୀ ଦଳ ଫେରୁଥିବା ବେଳେ ମୃତ ବନରକ୍ଷୀ ସମେତ ଅନ୍ୟ ବନ କର୍ମଚାରୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏଥିରେ ବିମଲଙ୍କ ପିଠି ପଟୁ ଗୁଳି ବାଜି ଛାତିି ପଟେ ବାହାରି ଯାଇଥିଲା । ସଙ୍ଗେ ସଙ୍ଗେ ସେ ସେଠାରେ ଟଳି ପଡ଼ିଥିଲେ । ଗୁଳି ଶବ୍ଦ ଶୁଣି ସାଥୀ କର୍ମଚାରୀ  ତାଙ୍କୁ ଉଦ୍ଧାର ପାଇଁ ଆସିବା ସମୟରେ ମାରଣାସ୍ତ୍ର ସହିତ ଥିବା ଶିକାରୀଙ୍କୁ ମୁକାବିଲା କରିପାରିନଥିଲେ । ଶିକାରୀମାନେ ଦୀର୍ଘ ସମ ଧରି ମୃତ ବିମଲଙ୍କୁ ଜଗି ରହିଥିଲେ । ଘଟଣା ସମ୍ପର୍କରେ ଉପରିସ୍ଥ ଅଧିକାରୀ ସୂଚନା ଦେବା ପରେ ବିମଲଙ୍କୁ ପୁଲିସ ଓ ଅଧିକ ବନକର୍ମଚାରୀ ପହଂଚି ଉଦ୍ଧାର କରିଥିଲେ ।