ନିର୍ମାଣଧୀନ ପାଇଖାନା ଟାଙ୍କି ସଫା କରିବାକୁ ଯାଇ ୩ମୃତ, ଜଣେ ଅସୁସ୍ଥ ଥିବା ସୂଚନା

101

କନକ ବ୍ୟୁରୋ : ନିର୍ମାଣଧୀନ ପାଇଖାନା ଟାଙ୍କି ସଫା କରିବାକୁ ଯାଇ ପ୍ରାଣ ହରାଇଛନ୍ତି ତିନି ଜଣ ଶ୍ରମିକ । ଜଣେ ଅସୁସ୍ଥ ଥିବା ସୂଚନା ରହିଛି । ରାୟଗଡା ଜିଲ୍ଲା କାଶିପୁର ବ୍ଲକ୍ ଶଙ୍କରଡା ପଞ୍ଚାୟତ ପଞ୍ଚାଳି ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ପଞ୍ଚାଳି ଗାଁର ଜଗନ୍ନାଥ ଗରଡାଙ୍କର ପାଇଖାନା ଟାଙ୍କି ଦୁଇ ମାସ ହେବ ତିଆରି ହୋଇଥିଲା । କିନ୍ତୁ ବ୍ୟବହାର ହୋଇନଥିଲା । ଏବେ ଏହି ଟାଙ୍କିକୁ ସଫା କରିବାକୁ ଜଣେ ଶ୍ରମିକ ଟାଙ୍କି ଭିତରେ ପ୍ରବେଶ କରିଥିଲେ । କିନ୍ତୁ ଏହି ଟାଙ୍କିଟି ବନ୍ଦ ପଡିଥିବାରୁ ଅଙ୍ଗାରକାମ୍ଳ ଭର୍ତ୍ତି ହୋଇ ରହିଥିଲା ।

ତେଣୁ ଶ୍ରମିକ ଜଣଙ୍କ ଟାଙ୍କି ଭିତରେ ପ୍ରବେଶ କରିବା ମାତ୍ରେ ଅଣନିଶ୍ୱାସୀ ହୋଇ ପଡିଥିଲେ । ପରେ ଅଚେତ ହୋଇଯାଇ ଥିଲେ । ଏହାପରେ ତାଙ୍କୁ ଉଦ୍ଧାର କରିବାକୁ ଯାଇ ଆଉ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ଦେଖାଦେଇଛି । ତେବେ ପୁଲିସ ଆସି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି । ମୃତକଙ୍କ ପରିବାର ଲୋକେ ଏବେ କ୍ଷତିପୂରଣ ଦାବି କରିଛନ୍ତି । ରାତି ହୋଇଯାଇଥିବାରୁ ପାଇଖାନା ଟାଙ୍କିରୁ ଶବ ବାହାରି ପାରିନଥିବା ସୂଚନା ରହିଛି ।