କନକ ବ୍ୟୁରୋ : ନେଦରଲାଣ୍ଡର ଏକ ଡାକ୍ତରଖାନାରେ ଗୁରୁବାର ଦିନ ଗୁଳି କାଣ୍ଡରେ ୩ ଜଣଙ୍କର ମୃତ୍ୟୁ ଘଟିଛି । ଗୁଳି ମାଡରେ ଜଣେ ୧୪ ବର୍ଷ ନାବାଳିକା ସମେତ ୩ଜଣଙ୍କର ମୃତ୍ୟୁ ହୋଇଛି । ଏହି ଭୟଙ୍କର ଗୁଳି କାଣ୍ଡ ନେଦରଲାଣ୍ଡର ରୋଟରଡାମ ଇରାସମସ୍ ମେଡିକାଲରେ ଘଟିଛି । ଅଚାନକ ଗୁଳିଶବ୍ଦ ଶୁଣିବା ପରେ ମେଡିକାଲ ଭିତରେ ଥିବା ରୋଗୀ, ତାଙ୍କ ସଂପର୍କୀୟ ଓ ମେଡିକାଲ କର୍ମଚାରୀ ଜୀବନ ବଞ୍ଚାଇବାକୁ ମେଡିକାଲ ବାହାରକୁ ବାହାରିବାକୁ ଚେଷ୍ଟା କରୁଥିଲେ ତ କିଛି ଲୋକ ନିଜ ନିଜ ରୁମର କବାଟ ବନ୍ଦ କରିବାକୁ ଚେଷ୍ଟା କରୁଥିଲେ ।

Advertisment

ସ୍ଥାନୀୟ ପୋଲିସଙ୍କ କହିବା ମୁତାବକ୍ ଏହିପରି ହୃଦୟ ଥରିଲା ଭଳି କାଣ୍ଡ ଜଣେ ୩୨ ବର୍ଷୀୟ ଛାତ୍ର ଘଟାଇଛି । ଗୁଳିକାଣ୍ଡ ଘଟାଇଥିବା ଛାତ୍ରକୁ ସ୍ଥାନୀୟ ପୋଲିସ ଗିରଫ କରିଛି । କିଛି ବିଶେଷ କାରଣ ଦୃଷ୍ଟିରୁ ଛାତ୍ର ଜଣଙ୍କର ପରିଚୟ ପ୍ରକାଶ କରାଯାଇନାହିଁ । ସେପେଟ କେଉଁ କାରଣରୁ ଏଭଳି ଅମାନୁଷିକ କାଣ୍ଡ ଘଟାଇଲା ତାହା ଉପରେ ସ୍ଥାନୀୟ ପୋଲିସ ଅନୁସନ୍ଧାନ ଆରମ୍ଭ କରିଛି ।

ହତ୍ୟାକାରୀ ପ୍ରଥମେ ଏକ ଆପାର୍ଟମେଣ୍ଟକୁ ଯାଇ ଗୁଳି ଚଳାଇଥିଲା । ଏହି ଗୁଳିକାଣ୍ଡରେ ଆପର୍ଟମେଣ୍ଟର ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିଲା । ଏହାସହ ମହିଳାଙ୍କର ଜଣେ ୧୪ ବର୍ଷର ଝିଅକୁ ମଧ୍ୟ ଗୁଳିକରି ହତ୍ୟା କରିଥିଲା । ସେଠାରୁ ପୁଣି ଛାତ୍ର ଜଣଙ୍କ ଆପାର୍ଟମେଣ୍ଟ ନିକଟରେ ଥିବା ଏରାସମସ୍ ମେଡିକାଲକୁ ଯାଇଥିଲା । ସେଠାକୁ ଯାଇ ଜଣେ ୪୬ ବର୍ଷର ବ୍ୟକ୍ତିଙ୍କୁ ଗୁଳିମାରି ହତ୍ୟା କରିଥିଲା ଛାତ୍ର ଜଣଙ୍କ । ପୋଲିସର ସୂଚନା ଅନୁଯାଇ ମୃତ୍ୟୁ ଘଟିଥିବା ବ୍ୟକ୍ତି ସେହି ଏକାଡେମିକ୍ ହସ୍ପିଟାଲରେ ଜଣେ ଶିକ୍ଷକ ଥିଲେ ।

ପୂର୍ବରୁ ଏହିପରି ଗୁଳି ମାଡ ଘଟଣା ବାରମ୍ବାର ରୋଟର୍ଡାମରେ ହେବାର ଦେଖିବାକୁ ମିଳିଛି । ଯାହା ସାଧାରଣ ଲୋକମାନଙ୍କ ମନରେ ଭୟ ସୃଷ୍ଟି କରିଛି । ୨୦୧୯ ରେ ୟୁଟେକ୍ଟ ଠାରେ ଏକ ଟ୍ରାମ ଭିତରେ ୩ଜଣ ଯାତ୍ରୀଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା । ଏହି ଛାତିଥରା ଘଟଣାକୁ ନେଇ ନେଦରଲାଣ୍ଡ ପୋଲିସ ତଦନ୍ତ ଜାରିରଖିଛି ।