ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆନ୍ଦୋଳନ ମୁଡକୁ ଆସୁଛନ୍ତି ତିନି ଦଳ । ଚାଷୀଙ୍କୁ କେନ୍ଦ୍ର ଅବହେଳା ପ୍ରସଙ୍ଗରେ ୨୦ରେ ଆନ୍ଦୋଳନ କରିବ ବିଜେଡି

193

କନକ ବ୍ୟୁରୋ: ବିଜେଡିର ‘ଧାନ’ ପ୍ରତିବାଦ ବିଜେପିର ‘ବିଜୁଳି’ ପ୍ରତିବାଦ କଂଗ୍ରେସର ‘ତେଲ’ ପ୍ରତିବାଦ । ପ୍ରତିବାଦର ଏହି ଯୋଜନା କିମ୍ବା ଧାରା, ପ୍ରମାଣିତ କରୁଛି ପଂଚାୟତ ନିର୍ବାଚନ ଆଗରୁ ଲୋକଙ୍କ ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ ଧରି ରାଜରାସ୍ତାକୁ ଓହ୍ଲାଇବା ସହ କର୍ମୀଙ୍କୁ ସକ୍ରିୟ କରିବାକୁ ପ୍ରତି ରାଜନୈତିକ ଦଳ ନିଜ ଆଭିମୁଖ୍ୟକୁ ଶାଣିତ କଲେଣି ।

ରାଜ୍ୟର ୭୬% ଚାଷୀଙ୍କ କଥାକୁ ବିଜେଡି ସ୍ୱର ଦେବାକୁ ଚେଷ୍ଟା କରି ବଡ ଭୋଟବ୍ୟାଙ୍କ ନିଜପଟକୁ ଆଣିବାକୁ ଉଦ୍ୟମ କରିଛି । ସେପଟେ ଉଭୟ କଂଗ୍ରେସ ଓ ବିଜେପି ତେଲ, ବିଜୁଳି କଥା କହି ସାଧାରଣ ଲୋକଙ୍କ ମନ ଜିତିବାକୁ ଚେଷ୍ଟା କରିଛନ୍ତି ।

ଧାନ ପ୍ରସଙ୍ଗରେ ବିଜେପି ମିଛ କହୁଥିବା ଅଭିଯୋଗ ଆଣି କହିଛି
-ଜୁଲାଇ ୨୦ରେ ଏଫସିଆଇ ଗୋଦାମ ଏବଂ ଅଫିସ୍ ସାମ୍ନାରେ ଦଳ ପ୍ରତିବାଦ କରିବ
-ଧାନ ସଂଗ୍ରହ ଦାୟିତ୍ୱ କେନ୍ଦ୍ରର, ରାଜ୍ୟର ନୁହେଁ । ବିଜେପି ମିଛ କଥା କହୁଛି
-ଖାଦ୍ୟ ସବସିଡି ବାବଦରେ କେନ୍ଦ୍ର ଦେବାକୁ ଥିବା ଅର୍ଥ ରାଜ୍ୟ ପାଇନାହିଁ
-ବଳକା ୭ ଲକ୍ଷ ମେଟ୍ରିକ ଟନ୍ ଧାନ କେନ୍ଦ୍ର ସରକାର ଉଠାଉ
-ଖରିଫ୍ ଧାନ ସଂଗ୍ରହ ଅବଧି ସେପଟେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଉ

ରାଜ୍ୟର ଦୁଇ ପ୍ରମୁଖ ବିରୋଧୀ ଦଳ ମଧ୍ୟ ଅଛନ୍ତି ରାଜରାସ୍ତାରେ । ରାଜ୍ୟ ସରକାର ବିଜୁଳି ବିଲ୍ ବଢାଇବା ପ୍ରତିବାଦରେ ବିଜେପି ଆନ୍ଦୋଳନ କରୁଥିବା ବେଳେ କଂଗ୍ରେସ ତେଲ ଦର ବୃଦ୍ଧିକୁ ମୁଦ୍ଦା କରି ପ୍ରତିବାଦ ଜାରି ରଖିଛି ।

ସେ ଧାନ ହେଉ ଅବା ତେଲ କିମ୍ବା ବିଜୁଳି । ପ୍ରତିଟି ପ୍ରସଙ୍ଗ ସିଧାସଳଖ ସାଧାରଣ ଲୋକଙ୍କୁ ପ୍ରଭାବିତ କରିଥାଏ । ଗାଁ ଗହଳିରେ କେଉଁ ଦଳ ଜନତାଙ୍କ କେତେ ବିଶ୍ୱାସଭାଜନ ହୋଇପାରିବ ଓ ପଂଚାୟତ ପାଇଁ ଆଗୁଆ ପ୍ରସ୍ତୁତି କରିପାରିବ, ସେଇ ଗୋଟିଚାଳନା ହେଉଥିବା ଅନୁମାନ କରାଯାଉଛି ।

ସେପଟେ ପଂଚାୟତ ନିର୍ବାଚନ ପାଇଁ ସଜବାଜ ଆରମ୍ଭ କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଜିଲ୍ଲାପାଳଙ୍କୁ ଭୋଟବାକ୍ସର ତାଲିକା ୨୬ ଜୁଲାଇ ସୁଦ୍ଧା ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି ତ୍ରିସ୍ତରୀୟ ପଂଚାୟତିରାଜ ନିର୍ବାଚନକୁ ନିର୍ଦ୍ଧାରିତ ସମୟରେ କରିବାକୁ ସରକାର ନିଷ୍ପତ୍ତି ନିଅନ୍ତି ତେବେ ୨୦୨୨ ଆରମ୍ଭରୁ ନିର୍ବାଚନ ବାତାବରଣ ଜୋର ଧରିପାରେ । ସୁଚନା ଅନୁସାରେ, ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ଭିତିରିଆ ମାନସ ମନ୍ଥନ ଚାଲିଛି । ଏପରିକି ରାଜ୍ୟ ନିର୍ବାଚନ କମିଶନଙ୍କୁ ଏନେଇ ଅବଗତ କରାଇଛି ବିଭାଗ । ଏସବୁ ଭିତରେ ଆନ୍ଦୋଳନ ଏବଂ ପ୍ରତିବାଦ ଜରିଆରେ ରାଜନୈତିକ ଦଳମାନେ ମଧ୍ୟ ଆକ୍ସନ ମୁଡକୁ ଆସିଯାଇଛନ୍ତି ।