କଅଁଳ କାନ୍ଧରେ ଦୁଇ ଭାଇଙ୍କ ଦାୟିତ୍ୱ । ସରକାରୀ ସାହାଯ୍ୟ ଅପେକ୍ଷାରୁ ତିନି ଅନାଥ

123

କନକ ବ୍ୟୁରୋ: ବାପା, ମା’ଙ୍କୁ ହରାଇ ବେସାହାରା ଏହି ୩ ପିଲା । ଆହା କହିବାକୁ କେହି ନାହିଁ , ସାହା ହେବାକୁ ବି କେହି ନାହିଁ । ଏବେ ଖାଲି ଯାହା ପ୍ରଶାସନର ହାତଟେକାକୁ ଚାହିଁ ରହିଛନ୍ତି ଏହି ତିନି ଅସହାୟ । ଏ ହେଉଛି ଗଜପତି ଜିଲ୍ଲା ମୋହନା ବ୍ଲକ ପଦାସାହି ଗାଁର ୩ ଭାଇଭଉଣୀଙ୍କ ଅନ୍ତର୍ଭେଦୀ କାହାଣୀ ।

ଦିନ ମଜୁରୀ କରି ବାପା ଦୁଃଖେ କଷ୍ଟେ ନିଜ ପରିବାରକୁ ଚଳାଇନେଉଥିଲେ । ହେଲେ ଦଇବ ସହିଲାନି । ହଠାତ୍ ଘରର ମୁରବୀଙ୍କୁ ମାଡି ବସିଲା ରୋଗ । ଆଉ କିଛି ଦିନ ଭିତରେ ସେ ଚାଲିଗଲେ ଆରପାରିକୁ । ଏତିକିରେ ଦୁଃଖ ସରିଲାନି ଯ, ତା ପଛକୁ ମା’ ବି ଚାଲିଗଲେ । ବାପା, ମା’ ଯେମିତି ଡକାଡକି ହୋଇ ଆରପାରିକୁ ଚାଲିଗଲେ । ପଛରେ ଛାଡିଦେଇଗଲେ ୩ ନାବାଳକ ପୁଅ ଝିଅଙ୍କୁ ।

 ବାପା, ମା’ ଚାଲିଗଲା ପରେ ସରିଗଲା ସବୁ ସରାଗ । ନିଜେ ଦୁନିଆକୁ ବୁଝିନଥିବା ନାବାଳିକା ଭଉଣୀ ଉପରେ ଦୁଇ ସାନ ଭାଇଙ୍କ ବୋଝ । କେମିତି ବଞ୍ଚିବେ , କ’ଣ କରିବେ,ଏଇ ଚିନ୍ତାରେ ଯେମିତି ଆବାକ୍ ହୋଇଯାଉଛନ୍ତି । ଏମିତି ସ୍ଥଳେ ପାଠ ପଢିବା ଯେପରି ୩ ପିଲାଙ୍କ ପାଇଁ ସ୍ୱପ୍ନ ହୋଇଯାଇଛି । ଆଉ ସ୍କୁଲ ମାଟି ମାଡିବାକୁ ସାହାସ ପାଉନି । ଦୁଇ ଭାଇଙ୍କ ପେଟ ଦିଟା ଦାନା ଦେବାକୁ ବାଧ୍ୟହୋଇ ଘରୁ ଗୋଡ କାଢିଛନ୍ତି ଭଉଣୀ ଅନିତ । ଯେଉଁଦିନ ମଜୁରୀ ମିଳିଲା ସେଦିନ ଘରେ ଚୁଲି ଜଳୁଛି ଆଉ ଯେଉଁଦିନ ନମିଳିଲା ସେଦିନ ଖାଡା ଉପାସ ।

ଆଗକୁ ପଛକୁ ବୋଲି କେହି ନାହିଁ । ଗାଁ ଲୋକ ଦୁଃଖ ସହିପାରିଲେନି । ପାଳି କରି ଯାହାଯେମିତି ଦିଟା ଦେଉଥିଲେ । ସେଇଆକୁ ଫୁଟାଇ ପେଟରେ ଦିଟା ପକାଉଛନ୍ତି । ହେଲେ ପର ହାତ ଟେକା କେତେ ଦିନ? ଏବେ ଯାହା ପ୍ରଶାସନର ସାହାଯ୍ୟକୁ ଅପେକ୍ଷା । ଏବାବଦରେ ଗଣମାଧ୍ୟମରୁ ଜାଣିବା ପରେ ୩ ଅନାଥ ପିଲାଙ୍କୁ ଆବଶ୍ୟକ ସାହାଯ୍ୟ ସହଯୋଗ କରିବା ସହ ସେମାନଙ୍କ ପାଠପଢା ଦାୟିତ୍ୱ ନେବାକୁ ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ।ବାପା, ମା’ଙ୍କୁ ହରାଇବା ପରେ ଏବେ କେବଳ ସରାକାରୀ ସହାୟତା ହିଁ ଏହି ୩ ପିଲାଙ୍କ ପଇଁ ଏକମାତ୍ର ଆଶ୍ରା ।