ମହାନଦୀରେ ପୁରା ପରିବାର ଭାସିଯିବା ଘଟଣା : ଉଦ୍ଧାର ହେଲା ବାପ,ପୁଅଙ୍କ ମୃତଦେହ; ଏବେବି ନିଖୋଜ ଝିଅ

181

କନକ ବ୍ୟୁରୋ : ଭସାଇନେଲା ମହାନଦୀ । ସମ୍ବଲପୁର ମହାନଦୀରେ ଅଘଟଣ ଘଟିଛି । ସମ୍ବଲପୁରର ଦଳେଇପଡା ଘାଟରେ ଭାସିଯାଇଥିବା ବାପା, ପୁଅ ଓ ଝିଅଙ୍କ ମଧ୍ୟରୁ ବାପା ଓ ପୁଅ ପ୍ରାଣ ହରାଇଥିବାବେଳେ ଝିଅ ଏବେ ବି ନିଖୋଜ ଅଛନ୍ତି । ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ ବାହିନୀ ନିୟୋଜିତ ହୋଇଥିଲେ । ସ୍ଥାନୀୟ ଲୋକେ ପ୍ରଥମେ ପୁଅକୁ ଉଦ୍ଧାର କରି ତାଙ୍କୁ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତି କରିିଥିଲେ । କିନ୍ତୁ ପରେ ତାଙ୍କର ମୃତ୍ୟୁ ହୋଇଛି । ଏହା ପରେ ପରେ ବାପାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲା ଅଗ୍ନିଶମ ବିଭାଗ । ସେ ବି ପ୍ରାଣ ହରାଇଛନ୍ତି । ତେବେ ଝିଅ ଏବେବି ନିଖୋଜ ଅଛନ୍ତି । ନିକଟସ୍ଥ ପେନସନ ପଡାର ଗୋଟିଏ ପରିବାରର ଏହି ୩ଜଣ ଗାଧେଇବାକୁ ଯାଇଥିବା ବେଳେ ଏହି ଅଘଟଣ ଘଟିଥିଲା । ମହାନଦୀରେ ପ୍ରବଳ ପାଣି ସ୍ରୋତ ଥିବା ବେଳେ ୩ଜଣ ଯାକ ଭାସି ଯାଇଥିଲେ । ରାତିରେ ଉଦ୍ଧାର କାମ ବନ୍ଦ ଥିବାବେଳେ ଆଜି ଏହା ପୁଣି ଆରମ୍ଭ ହେବ ।

ସୋମବାର ଅପରାହ୍‌ଣ ୪ଟାରେ ସମ୍ବଲପୁର ପେନ୍‌ସନପଡ଼ା ନିବାସୀ ମହମ୍ମଦ ଅଲ୍‌ତାଫ୍ ସ୍କୁଟିରେ ନିଜ ସ୍କୁଲ୍‌ ପଢ଼ୁଆ ପୁଅ ମହମ୍ମଦ ଅଫ୍‌ତାବ ଓ ଝିଅ ରୁକ୍‌ସାନା ଖାତୁନ୍‌ଙ୍କୁ ଧରି ଗାଧୋଇବାକୁ ମହାନଦୀର ଦଲେଇପଡ଼ା ମହିଳା ଘାଟକୁ ଯାଇଥିଲେ । ଘାଟରେ ‌ସେତେ‌ବେଳେ ‌କେବଳ ଜଣେ ମହିଳା ଗାଧୋଉଥିଲେ । ରୁକ୍‌ସାନା ଖାତୁନ ଗାଧୋଇବାକୁ ପାଣି ଭିତରକୁ ପଶିବାର ମାତ୍ର କିଛି ସମୟ ଭିତରେ ସ୍ରୋତରେ ଭାସି ଯାଇଥିଲେ । ଭଉଣୀ ରୁକ୍‌ସାନାଙ୍କୁ ବଞ୍ଚାଇବା ପାଇଁ ଭାଇ ଅଫତାବ୍‌ ପାଣି ଭିତରକୁ ଲମ୍ଫ ଦେଇଥିଲେ । ଦୁର୍ଭାଗ୍ୟକୁ ସେ ମଧ୍ୟ ଭାସି ଯାଇଥିଲେ । ଏହିସମୟରେ ସେଠାରେ ଗାଧୋଉଥିବା ମହିଳା ଜଣକ ଚିତ୍କାର କରି ଉଠିଥିଲେ । ମହିଳାଙ୍କ ଚିତ୍କାର ଶୁଣି ଅଲ୍‌ତାଫ୍‌ ପୁଅ,ଝିଅଙ୍କୁ ବଞ୍ଚାଇବା ପାଇଁ ସଙ୍ଗେସଙ୍ଗେ ଡେଇଁ ପଡ଼ିଥିଲେ । ମାତ୍ର ସେ ବି ଭାସି ଯାଇଥିଲେ ।

ଖବର ପାଇ ଅଗ୍ନିଶମ ବାହିନୀ ଓ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଂଚିଥିଲେ । ଅଗ୍ନିଶମବାହିନୀ ସହିତ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଖୋଜାଖୋଜି ଆରମ୍ଭ କରିଦେଇଥିଲେ । ପ୍ରାୟ ୫ଟା୪୫ରେ ଘଟଣାସ୍ଥଳଠାରୁ ପ୍ରାୟ ୫୦ ମିଟର ଦୂରରେ ଗଭୀର ପାଣି ଭିତରୁ ମତ୍ସ୍ୟଜୀବୀମାନେ ଅଫ୍‌ତାବଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ଚିକିତ୍ସା ପାଇଁ ପୁଲିସ ଗାଡ଼ିରେ ସଦର ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏପଟେ ଅନ୍ଧାର ହୋଇଯିବା କାରଣରୁ କିଛି ସମୟ ପାଇଁ ଉଦ୍ଧାର କାର୍ଯ୍ୟ ବନ୍ଦ ରହିଥିଲା । ଆଲୋକ ବ୍ୟବସ୍ଥା ହେବାପରେ ପୁଣି ୭ଟା ପରେ ଖୋଜାଖୋଜି ଆରମ୍ଭ ହୋଇଥିଲା । ମତ୍ସ୍ୟଜୀବୀମାନେ ଜାଲ ସହାୟତାରେ ମହମ୍ମଦ ଅଲ୍‌ତାଫଙ୍କୁ ଉଦ୍ଧାର କରିଥିଲେ। ତାଙ୍କୁ ତୁରନ୍ତ ସଦର ଡାକ୍ତରଖାନା ନିଆଯାଇଥିବା ବେଳେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ । ଖବର ଲେଖାଯିବା ପର୍ଯ୍ୟନ୍ତ ରୁକ୍‌ସାନାଙ୍କ ସନ୍ଧାନ ମିଳିପାରିନାହିଁ । ରୁକ୍‌ସାନା ଓ ଅଫ୍‌ତାବ ଭଉୟେ ହିନ୍ଦୀ ନୋଡାଲ ସ୍କୁଲରେ ଯଥାକ୍ରମେ ସପ୍ତମ ଓ ଦଶମ ଶ୍ରେଣୀରେ ଅଧ୍ୟୟନ କରୁଥିଲେ ।