କନକ ବ୍ୟୁରୋ : କୋରାପୁଟ ଲକ୍ଷ୍ମୀପୁର ଅଞ୍ଚଳରେ ଗୋଟିଏ ପରିବାରର ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଝୁଲନ୍ତ ଅବସ୍ଥାରେ ସ୍ତ୍ରୀ, ଦୁଇବର୍ଷର ଛୁଆ ଓ ଜଣେ ସ୍ୱାମୀର ମୃତଦେହ ମିଳିଛି । ସ୍ତ୍ରୀ ଓ ଛୁଆଙ୍କୁ ହତ୍ୟା କରିବା ପରେ ସ୍ୱାମୀର ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ଲକ୍ଷ୍ମୀପୁରର ତୟାପୁଟ ଗାଁରେ ଏହି ଘଟଣା ଘଟିଛି । ଘଟଣାପଛର କାରଣ ଜଣାପଡିନାହିଁ । ସଂପୃକ୍ତ ଯୁବକ ଲିଙ୍ଗରାଜ ବିଷୋୟୀ ବୋଲି ଜଣାପଡିଛି । ଘଟଣାସ୍ଥଳରେ ଲକ୍ଷ୍ମୀପୁର ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ଏହାରି ଭିତରେ ପରିବାର ଲୋକ କରିଥିବା କିଛି ଭିଡିଓ ସାମ୍ନାକୁ ଆସିଛି । ଆଜି ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ କରିବା ନେଇ ସୂଚନା ରହିଛି ।

Advertisment

ସୂଚନା ଅନୁଯାୟୀ, ତୋୟାପୁଟ ଦେଇ ଯାଇଥିବା ୩୨୬ନମ୍ବର ଜାତୀୟ ରାଜପଥରେ ଲିଙ୍ଗରାଜ ବିଶୋଇ ମୋବାଇଲ ଦୋକାନ କରିଥିଲେ । ହେଲେ, କିଛିଦିନ ହେଲା ଅର୍ଥ ଅଭାବ ଯୋଗୁ ଭୀଷଣ ମାନସିକ ଚାପରେ ରହିଥିଲେ । ଦାମ୍ପତ୍ୟ ଜୀବନରେ ଅଶାନ୍ତି ଲାଗି ରହିଥିବାରୁ ପରିବାର ସଦସ୍ୟଙ୍କ ସହ ମଧ୍ୟ ଅନେକଥର ପାଟିତୁଣ୍ଡ ହୋଇଥିଲା । ଏହାପରେ ଗତକାଲି ରାତି ପ୍ରାୟ ୭ଟାରେ ଗୋଟିଏ ବଖରାରେ ଲିଙ୍ଗରାଜ, ପତ୍ନୀ ଜ୍ୟୋତ୍ସ୍ନା ଏବଂ ଦୁଇ ବର୍ଷର ଝିଅ ଇଶାଙ୍କ ଶବ ଦେଖିବାକୁ ମିଳିଥିଲା । ଏ ସମ୍ପର୍କରେ କେହି ଲକ୍ଷ୍ମୀପୁର ପୁଲିସକୁ ଖବର ଦେଇଥିଲେ ।

ଥାନା ଅଧିକାରୀ ଶ୍ୱେତପଦ୍ମା ସେଠ୍, ଏସ୍‌ଆଇ ପଞ୍ଚାନନ ଶତପଥୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଶବ ଜବତ କରିବା ପରେ ତଦନ୍ତ ଆରମ୍ଭ କରିଥିଲେ । କେଉଁ କାରଣରୁ ଲିଙ୍ଗରାଜ ଏଭଳି ଜଘନ୍ୟକାଣ୍ଡ ଘଟାଇଲେ, କେହି ସ୍ପଷ୍ଟ ରୂପେ କହିପାରୁ ନାହାନ୍ତି । ପାରିପାର୍ଶ୍ବିକ ସ୍ଥିତି ଏବଂ ପ୍ରାଥମିକ ଅନୁସନ୍ଧାନରୁ ଲିଙ୍ଗରାଜ ପ୍ରଥମେ ପତ୍ନୀଙ୍କୁ ହତ୍ୟା କରିଛନ୍ତି । ଏହାପରେ ନିଜେ ଆତ୍ମହତ୍ୟା କରିବା ପୂର୍ବରୁ ଝିଅକୁ ହତ୍ୟା କରିଥିବା କୁହାଯାଉଛି । ଆଜି  ଶବ ବ୍ୟବଚ୍ଛେଦ କରାଯିବ । ତେଣୁ ସଂପୂର୍ଣ୍ଣ ଘରକୁ ପୁଲିସ ସିଲ୍‌ କରି ରଖିଛି ।