ଓଡ଼ିଶା ହାଇକୋର୍ଟରେ ତିନି ନୂଆ ବିଚାରପତିଙ୍କ ଶପଥ ଗ୍ରହଣ । ଶପଥ ପାଠ କରାଇଲେ ମୁଖ୍ୟ ବିଚାରପତି
କନକ ବ୍ୟୁରୋ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଜଷ୍ଟିସ୍ ମୃଗାଙ୍କ ଶେଖର ସାହୁ, ଜଷ୍ଟିସ୍ ରାଧାକ୍ରିଷ୍ଣ ପଟ୍ଟନାୟକ ଓ ଜଷ୍ଟିସ୍ ଶଶିକାନ୍ତ ମିଶ୍ର ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ନୂଆ କନଫରେନ୍ସ ହଲ୍ରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ତିନି ନୂଆ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ। ଏହି ଅବସରରେ ହାଇକୋର୍ଟର ସମସ୍ତ ବିଚାରପତି ଉପସ୍ଥିତ ଥିଲେ। ଏଠାରେ ସୂଚନା ଯୋଗ୍ୟ ଯେ ତିନି ଜଣ ନୂଆ ବିଚାରପତିଙ୍କ ନିଯୁକ୍ତି ପରେ ହାଇକୋର୍ଟରେ ବିଚାରପତି ସଂଖ୍ୟା ୧୭ରେ ପହଞ୍ଚିଛି।
Kanak News is now on WhatsApp
Join and get latest news updates delivered to you via WhatsApp
ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଅବସରପ୍ରାପ୍ତ ପ୍ରଫେସର ଡାକ୍ତର ମହେଶ୍ବର ସାହୁ ଓ କ୍ଲିନିକାଲ ସାଇକୋଲୋଜିଷ୍ଟ ମେନକା ପାଣିଙ୍କ ପୁତ୍ର ଭାବେ ମୃଗାଙ୍କ ଶେଖର ସାହୁ ୧୯୭୧, ସେପ୍ଟେମ୍ବର ୭ରେ ଜନ୍ମ ଗ୍ରହଣ କରିଥିଲେ। ସେ ହେଉଛନ୍ତି ସ୍ବର୍ଗତ ମେଜର ଶ୍ୟାମସୁନ୍ଦର ସାହୁ ଓ ଉର୍ମିଳା ସାହୁଙ୍କ ଜାମାତା। କଟକ ରେଲୱେ ସେଟେଲମେଣ୍ଟ ସ୍କୁଲରୁ ଓ’ ଗ୍ରେଡ୍ ପାଇବା ସହିତ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସେ ସପ୍ତମ ପାସ୍ କରିବା ପରେ ସେ ବୋର୍ଡ ହାଇସ୍କୁଲରୁ ପ୍ରଥମ ଶ୍ରେଣୀରେ ୧୯୮୫ରେ ମାଟ୍ରିକ୍ ପାସ୍ କରିଥିଲେ। ରେଭେନ୍ସାରୁ ଯୁକ୍ତ ଦୁଇ ବିଜ୍ଞାନରେ ପ୍ରଥମ ଶ୍ରେଣୀରେ ପାସ୍ କରିବା ପରେ ୧୯୯୦ରେ ରସାୟନ ବିଜ୍ଞାନ ସମ୍ମାନରେ ବିଏସସି ପ୍ରଥମ ଶ୍ରେଣୀରେ ପାସ୍ କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟରୁ ରସାୟନ ବିଜ୍ଞାନରେ ୧୯୯୨ରେ ଏମଏସସି ପାସ୍ କରିବା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟ ଅଧିନସ୍ଥ କ୍ୟାମ୍ପସ୍ ଲ’ ସେଣ୍ଟରରୁ ଏଲଏଲ.ବି. ଡିଗ୍ରି ହାସଲ କରି ୧୯୯୯ରେ ଆଇନ ପେସାରେ ଯୋଗ ଦେଇଥିଲେ। ବରିଷ୍ଠ ଆଇନଜୀବୀ ଶ୍ରୀକାନ୍ତ କୁମାର ନାୟକ ଓ ପୂର୍ବତନ ଆଡଭୋକେଟ ଜେନେରାଲ ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ମହାନ୍ତିଙ୍କ ସହଯୋଗୀ ଭାବେ ସେ ଓକିଲାତି ଆରମ୍ଭ କରିଥିଲେ। ୨୦୦୫ରେ ରାଜ୍ୟ ସରକାରଙ୍କ ପକ୍ଷରୁ ମାମଲା ପରିଚାଳନା ପାଇଁ ତାଙ୍କୁ ଅତିରିକ୍ତ ଷ୍ଟାଣ୍ଡିଂ କାଉନସିଲ(ଏଏସସି) ଭାବେ ନିଯୁକ୍ତି ଦିଆଯାଇଥିଲା। ସେ ଏଏସସି ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୪ରେ ତାଙ୍କୁ ଅତିରିକ୍ତ ସରକାରୀ ଓକିଲ (ଏଜିଏ) ଭାବେ ନିଯୁକ୍ତି ମିଳିଥିଲା। ସେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ସଂସ୍ଥା ପକ୍ଷରୁ ମଧ୍ୟ ବହୁ ଗୁରୁତ୍ବପୂର୍ଣ୍ଣ ମାମଲା ପରିଚାଳନା କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ ସେ ସୁନାମ ଅର୍ଜନ କରିଥିଲେ। ଏଜିଏ ଭାବେ କାର୍ଯ୍ୟ କରୁଥିବା ବେଳେ ତାଙ୍କ ନାଁ ହାଇକୋର୍ଟ ବିଚାରପତି ପଦ ପାଇଁ ସୁପ୍ରିମକୋର୍ଟ କଲେଜିୟମ ସୁପାରିସ କରିଥିଲା।