ମିଶିଯିବ ୩ଟି ରାଷ୍ଟ୍ରାୟତ ବ୍ୟାଙ୍କ : ଜାଣନ୍ତୁ ବ୍ୟାଙ୍କ କର୍ମଚାରୀଙ୍କ ଉପରେ କ’ଣ ପଡିବ ପ୍ରଭାବ ?

57

ମିଶିଯିବ ୩ଟି ରାଷ୍ଟ୍ରାୟତ ବ୍ୟାଙ୍କ । ୩ଟି ରାଷ୍ଟ୍ରାୟତ ବ୍ୟାଙ୍କର ମିଶ୍ରଣ ପାଇଁ ଯୋଜନା କରୁଥିବା କେନ୍ଦ୍ର ସରକାର ସୋମବାର ଘୋଷଣା କରିଛନ୍ତି । ବ୍ୟାଙ୍କ ଅଫ୍ ବରୋଦା, ଦେନା ବ୍ୟାଙ୍କ ଓ ବିଜୟା ବ୍ୟାଙ୍କକୁ ମିଶାଇ ଗୋଟିଏ ବ୍ୟାଙ୍କ କରାଯିବାକୁ ଏଥିରେ ଯୋଜନା ରହିଛି । ଏ ବିଷୟରେ ସୂଚନା ଦେଇଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ସେ କହିଛନ୍ତି ଯେ, ଏହାଦ୍ୱାରା ବ୍ୟାଙ୍କିଂ ବ୍ୟବସ୍ଥା ଦୃଢ଼ ହେବ ଓ ଋଣ ପ୍ରଦାନ କ୍ଷମତା ବୃଦ୍ଧି ପାଇବ ।

ଏନପିଏ ଓ ଅଧିକ ଋଣ ପ୍ରଦାନ ଯୋଗୁଁ ଏବେ ଅନେକ ବ୍ୟାଙ୍କ ଅବସ୍ଥା ଭଲ ନାହିଁ । ତେବେ ତିନି ବ୍ୟାଙ୍କର ମିଶ୍ରଣ ନେଇ ନିଷ୍ପତ୍ତି ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇ ନାହିଁ । ୩ ବ୍ୟାଙ୍କ ଗୁଡିକୁ ଏନେଇ ପ୍ରସ୍ତାବ ଦିଆଯିବା ପରେ ବ୍ୟାଙ୍କ ବୋର୍ଡ ଏହା ଉପରେ ବିଚାର କରି ନିଷ୍ପତ୍ତି ନେବ । ଏହି ତିନି ବ୍ୟାଙ୍କର ମିଶ୍ରଣ ହେଲେ ଏହା ହେବ ତୃତୀୟ ବୃହତ୍ ବ୍ୟାଙ୍କ୍ । ଭାରତର ସର୍ବବୃହତ୍ ବ୍ୟାଙ୍କ ଏସବିଆଇ ହୋଇଥିବା ବେଳେ ଦ୍ୱିତୀୟ ବଡ ବ୍ୟାଙ୍କ ହେଉଛି ଏଚଡିଏଫସି ବ୍ୟାଙ୍କ୍ ।

ତିନି ସରକାରୀ ବ୍ୟାଙ୍କର ମିଶ୍ରଣରେ କୌଣସି କର୍ମଚାରୀ ପ୍ରଭାବିତ ହେବେ ନାହିଁ ଓ ବ୍ୟାଙ୍କଗୁଡ଼ିକର ପରିଚୟ ମଧ୍ୟ ବଜାୟ ରହିବ। ନୂତନ ବ୍ୟାଙ୍କ ପୁଞ୍ଜି ଦୃଷ୍ଟିରେ ବହୁତ ସୁଦୃଢ଼ ରହିବ। ବ୍ୟାଙ୍କର ଗ୍ରାହକ ସଂଖ୍ୟା ବହୁତ ବଢ଼ିଯିବ। ଜମା ଉପରେ ହେଉଥିବା ଖର୍ଚ୍ଚ କମିଯିବ। ଗ୍ରାହକମାନଙ୍କୁ ଉନ୍ନତ ମାନର ଉତ୍ପାଦ ଓ ସେବା ମିଳିପାରିବ। ଏହି ତିନି ବ୍ୟାଙ୍କକୁ ଫିନାକଲ୍ ସିବିଏସ୍ ନେଟୱର୍କରେ ସାମିଲ କରାଯିବ। ନୂଆ ବ୍ୟାଙ୍କକୁ ଦୃଢ଼ କରିବା ପାଇଁ ସରକାର ଅଧିକ ପୁଞ୍ଜି ମଧ୍ୟ ପ୍ରଦାନ କରିବେ।