ବନ୍ୟାର ୩ ମାସ ପରେ ନଦୀ ବନ୍ଧରେ ଜୀବନ । ଆଜି ବି ଯାଜପୁର ଦତପୁରର ବିପନ୍ନଙ୍କୁ ମିଳି ପାରିନାହିଁ ବନ୍ୟା ସହାୟତା । ଜିଲ୍ଲାପାଳ କହିଲେ, ଖୁବଶୀଘ୍ର ହେବ ସମସ୍ୟାର ସମାଧାନ

32

କନକ ବ୍ୟୁରୋ : ଏବେ ବି ବନ୍ୟା କ୍ଷତିଗ୍ରସ୍ତ ନଦୀବନ୍ଧରେ ପାଲ ତଳେ ଜୀବନ କାଟୁଛନ୍ତି । ଶୀତ ରାତିରେ ଜୀବନକୁ ବାଜି ଲଗାଇ ରାତି କାଟୁଥିବା ଏହି ବନ୍ୟା ବିପନ୍ନଙ୍କ ପାଇଁ ନା ଅଛି ବିଜୁଳି, ନା ଅଛି ଯୋଗାଯୋଗ । ପାନୀୟ ଜଳ ପାଇଁ ନଦୀ ଉପରେ ନିର୍ଭର କରୁଛନ୍ତି ୩୦ରୁ ଉର୍ଦ୍ଧ ପରିବାର ।

ପଲିଥିନରେ କୁଡିଆ କରି ଏକାଠି ରହୁଛନ୍ତି ମଣିଷ ଓ ଗାଇଗୋରୁ । ବନ୍ୟା ଘାଇରେ ରାସ୍ତା ପୋଖରୀର ଭ୍ରମ ସୃଷ୍ଟି କରୁଥିବା ବେଳେ ବିଜୁଳି ନଥିବାରୁ ସଂଜ ନଇଁଲେ ଗାଁ ରାଜ କରୁଛି ଅନ୍ଧାର । ଏ ଚିତ୍ର ଆସିଛି ଯାଜପୁର ଦଶରଥପୁର ବ୍ଲକ୍ ଦତପୁର ଗାଁରୁ । ଚଳିତ ବର୍ଷ ବନ୍ୟା ଯୋଗୁ ବ୍ଲକର ୩ଟି ସ୍ଥାନରେ ଘାଇ ହୋଇଥିଲା । ଦତପୁର ଠାରେ ୩ଶହ ଫୁଟର ଘାଇ ହୋଇଥିଲା । ଫଳରେ ଗାଁର ମାଟି ଘର ପୁରା ନଷ୍ଟ ହୋଇଯାଇଥିବା ବେଳେ ଚାଷ ଜମିରେ ବାଲି ଚରି ଯାଇଛି । ସେବେଠାରୁ ଦତପୁରର ୩୦ଟି ପରିବାର ନଦୀ ବନ୍ଧ ଉପରେ ରହୁଛନ୍ତି ।

ଗୋଟିଏ ପଟେ ଜୀବନ ଯନ୍ତ୍ରଣା ଓ ଅନ୍ୟପଟେ ଅର୍ଥାଭାବ ଯୋଗୁ ଅଂଟା ସଳଖି ପାରୁନାହାନ୍ତି ବନ୍ୟା ବିପନ୍ନ । ଚାଷ ଜମିରେ ବାଲି ଚରି ଯାଇଥିବାରୁ ପେଟ ପାଟଣାକୁ ନେଇ ଚିନ୍ତାରେ ପଡିଥିବା ବିପନ୍ନଙ୍କୁ ଏଯାଏଁ ଆବାସ ଯୋଜନାରେ ଘରଟିଏ ମିଳିନାହିଁ । ଦତପୁର ବାସୀ ସରକାରୀ ସହାୟତାକୁ ଅପେକ୍ଷା କରିଥିବା ବେଳେ ଜିଲ୍ଲାପାଳ ଚକ୍ରବର୍ତୀ ସିଂ ରାଠୋର କହିଛନ୍ତି, ଖୁବଶୀଘ୍ର ବିପନ୍ନଙ୍କ ସମସ୍ୟାର ସମାଧାନ କରାଯିବ ।

ବନ୍ୟା ପରେ ସରକାର ସହାୟତା ରାଶି ଘୋଷଣା କରିଛନ୍ତି, କିନ୍ତୁ ୩ ମାସ ପରେ ବି ପ୍ରଭାବିତଙ୍କ ପାଖରେ ତାହା ପହଂଚି ପାରିନାହିଁ । ତେଣୁ ପ୍ରଶାସନର କାର୍ଯ୍ୟଦକ୍ଷତାକୁ ନେଇ ଅନେକ ପ୍ରଶ୍ନ ଉଠିଛି ।