କନକ ବ୍ୟୁରୋ: ଫିଲ୍ମ ଆଉ ମନୋରଂଜନର ଖୋରାକ ହୋଇ ରହିନାହିଁ । ଏବେ ଫିଲ୍ମ ଦେଖି ଏହାକୁ ଦୈନନ୍ଦିନ ଜୀବନରେ ପ୍ରୟୋଗ କରିବାକୁ ଚେଷ୍ଟା କରୁଛନ୍ତି କିଛି ଅଜ୍ଞ ବ୍ୟକ୍ତି । ବିଶେଷ କରି ଫିଲ୍ମ ଦେଖି ଏହି ଷ୍ଟାଇଲରେ ଅପରାଧ କରିବାକୁ ପଛାଉ ନାହିଁନ୍ତି ଲୋକେ । ଏପରି ଏକ ଛାତିଥରା ଘଟଣା ଘଟିଛି ଦିଲ୍ଲୀର ଜାହାଙ୍ଗୀରପୁରୀ ଇଲାକାରେ ।
ବକ୍ସ ଅଫିସରେ ଧମାକା କରିଥିବା ‘ପୁଷ୍ପା’ ଫିଲ୍ମ ଦେଖି ଜଣେ ବ୍ୟକ୍ତିଙ୍କୁ ନୃଶଂସ ଭାବେ ହତ୍ୟା କରିଛନ୍ତି । ହତ୍ୟାକାରୀ ପୁଣି ୩ଜଣ ନାବାଳକ । ଏମାନଙ୍କୁ ପୋଲିସ ଗିରଫ କରିବା ପରେ ଏମାନେ ଯାହା କହିଛନ୍ତି ତାକୁ ନେଇ ଏବେ ସ୍ଥାନୀୟ ଇଲାକାରେ ହଇଚଇ ସୃଷ୍ଟି ହୋଇଛି । ପୋଲିସର ସୂଚନା ମୁତାବକ, ବୁଧବାର ଜାହାଙ୍ଗୀରପୁରି ଇଲାକାରେ ଏହି ୩ ଜଣ ନାବାଳକ ମିଶି ଜଣେ ବ୍ୟକ୍ତିଙ୍କୁ ଛୁରି ଓ ଅନ୍ୟ ମାରଣାସ୍ତ୍ରରେ ଆକ୍ରମଣ କରୁଥିଲେ । କୌଣସି ସୂତ୍ରରୁ ଖବର ପାଇଁ ପୋଲିସ ସେଠାରେ ପହଞ୍ଚିଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଦୁଇ ନାବାଳକ ବ୍ୟକ୍ତି ଜଣଙ୍କୁ ମାରି ଚାଲିଥିବାବେଳେ ଅନ୍ୟ ଜଣେ ନାବାଳକ ଏହି ଭୟଙ୍କର ନୃଶଂସ ଦୃଶ୍ୟକୁ ମୋବାଇଲରେ ରେକର୍ଡ କରୁଥିଲା । ୩ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଗୁରୁତର ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା ପୋଲିସ । ହେଲେ ସେଠାରେ ହିଁ ବ୍ୟକ୍ତିଜଣଙ୍କର ପ୍ରାଣବାୟୁ ଉଡିଯାଇଥିଲା ।
ଜେରା କରିବାବେଳେ ୩ ନାବାଳକ କହିଥିଲେ ଯେ, ଏବେ ହିଟ୍ ହୋଇଥିବା ଫିଲ୍ମ ‘ ପୁଷ୍ପା’ ଓ ଭୌକାଲ’ ଫିଲ୍ମକୁ ଦେଖି ସେମାନେ ଉତ୍ସାହିତ ହୋଇପଡିଥିଲେ । ମୃତକଙ୍କ ସହ ପୂର୍ବରୁ ତାଙ୍କର କୌଣସି କଥାକୁ ନେଇ ପାଟିତୁଣ୍ଡ ହୋଇଥିଲା । ତେଣୁ ପୁଷ୍ପା ଫିଲ୍ପ ଷ୍ଟାଇଲରେ ହିଁ ମାରିବାକୁ ଇଚ୍ଛା କରିଥିଲେ । ଖାଲି ଏତିକି ନୁହେଁଏହି ନୃଶଂସ ଦୃଶ୍ୟକୁ ସୋସିଆଲ ମିଡିଆରେ ଭାଇରାଲ କରି ପପୁଲାର ହେବାକୁ ଚାହୁଁଥିଲେ ବୋଲି କହିଥିଲେ ଏହି ୩ ନାବାଳକ ।
ତେବେ ଏପରି ଘଟଣା ଦିନକୁ ଦିନ ବଢିବାରେ ଲାଗିଥିବାବେଳେ ଏହି ୩ ନାବାଳକଙ୍କୁ କଠୋରରୁ କଠୋର ଶାସ୍ତି ଦେବାକୁ ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି । ଏହାସହ ମନୋରଂଜନ ପାଇଁ ଉଦ୍ଦିଷ୍ଟ ଫିଲ୍ମରୁ ଏପରି ହିଂସାତ୍ମକ ଦୃଶ୍ୟକୁ ଦୂରେଇ ରଖିବାକୁ ମଧ୍ୟ ବୁଦ୍ଧିଜୀବି ମହଲରେ ସ୍ୱର ଉଠିଛି ।