ଜମ୍ମୁ-କାଶ୍ମୀରର ତ୍ରାଲରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀ ମୁହାଁମୁହିଁ : ନିପାତ ହେଲେ ୩ ଆତଙ୍କବାଦୀ । 

147

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରର ପୁଲୱାମାର ତ୍ରାଲ ଅଞ୍ଚଳରେ ସୁରକ୍ଷାକର୍ମୀ ଓ ଆତଙ୍କୀ ମୁହାଁମୁହିଁ ହୋଇଛନ୍ତି । ମଙ୍ଗଳବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଉଭୟଙ୍କ ମଧ୍ୟରେ ଗୁଳି ବର୍ଷା ହୋଇଥିଲା । ଏଥିରେ ୩ ଆତଙ୍କୀ ନିପାତ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା ଆତଙ୍କୀଙ୍କ ପରିଚୟ ମିଳିପାରିନାହିଁ । ସୂଚନାନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ତ୍ରାଲରେ ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିଥିଲା । ସୂଚନା ପାଇ ଜମ୍ମୁ-କାଶ୍ମୀର ପୋଲିସ, ସିଆରପିଏଫ ଓ ସେନାର ସଂଯୁକ୍ତ ଟିମ୍ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଥିଲା ।

ଏହି ସର୍ଚ୍ଚ ଅପରେସନରେ ସୁରକ୍ଷାକର୍ମୀ-ଆତଙ୍କବାଦୀ ମୁହାଁମୁହିଁ ହୋଇଥିଲେ । ଜମ୍ମୁ-କାଶ୍ମୀର ମହାନିରୀକ୍ଷକ ବିଜୟ କୁମାର କହିଛନ୍ତି, ଘଟଣାସ୍ଥଳରୁ ୩ ଆତଙ୍କୀଙ୍କ ଶବ ମିଳିଛି। ସେମାନଙ୍କ ନିକଟରୁ ବିପୁଳ ପରିମାଣରେ ଗୋଳାବାରୁଦ, ମାରଣାସ୍ତ୍ର ଜବତ କରାଯାଇଛି । ଜମ୍ମୁ-କାଶ୍ମୀରରେ ପୁଲୱାମା ଘଟଣାର ପୁନରାବୃତ୍ତି କରିବା ଲକ୍ଷ୍ୟରେ ରହିଛି ଆଇଏସଆଇ । ସୂଚନା ମୁତାବକ, ଜୈଶ, ଲସ୍କର, ହିଜବୁଲ ଓ ଅଂସାର ଗଜବଲ-ଉଲ-ହିନ୍ଦର ସୁରକ୍ଷାବଳ ଉପରେ ଆକ୍ରମଣ ହେବା ନେଇ ସୂଚନା ମିଳିଛି । ମୁକାବିଲା ପାଇଁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି ।