ନିର୍ବାଚନ ମୈଦାନରେ ଗୋଟିଏ ପରିବାରର ୩ ଯାଆଙ୍କ ଲଢେଇ । ଭିନ୍ନ ଭିନ୍ନ ପଦବୀ ପାଇଁ କରିଛନ୍ତି ପ୍ରାର୍ଥପତ୍ର ଦାଖଲ

177

କନକ ବ୍ୟୁରୋ : ପଞ୍ଚାୟତ ନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଥିବାବେଳେ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକରୁ ଏକ ଭିନ୍ନ ଚିତ୍ର ସାମ୍ନାକୁ ଆସିଛି । ବ୍ଲକର ଖିଲାପଦର ଗାଁରେ ଗୋଟିଏ ପରିବାରର ୩ ଯାଆ ଭିନ୍ନ ଭିନ୍ନ ପଦବୀ ପାଇଁ ନିର୍ବାଚନ ଲଢୁଛନ୍ତି । ଏହାକୁ ନେଇ ଚର୍ଚ୍ଚାରେ ରହିଛି ସ୍ଥାନୀୟ ଗମାଙ୍ଗ ପରିବାର ।
ପଞ୍ଚାୟତ ଗଠନ ହେବା ପରଠାରୁ ଏହି ପଞ୍ଚାୟତରେ ଗମାଙ୍ଗ ପରିବାରର ଦବଦବା ରହିଛି । ଚଳିତ ନିର୍ବାଚନରେ ଏହି ଗମାଙ୍ଗ ପରିବାରର ୩ ଜଣ ଯାଆ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଜଣେ ସରପଞ୍ଚ ପାଇଁ, ଜଣେ ସମିତି ସଭ୍ୟ ପାଇଁ ଓ ଆଉ ଜଣେ ଜିଲ୍ଲା ପରିଷଦ ପାଇଁ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି । ସ୍ୱର୍ଗତ ଲିଙ୍ଗା ଗମାଙ୍ଗ ହେଉଛନ୍ତି ଗମାଙ୍ଗ ପରିବାରର ମୁଖ୍ୟ । ସେ ଦୀର୍ଘ ୪୦ ବର୍ଷ ଧରି ଖିଲାପଦର ଗ୍ରାମପଂଚାୟତର ସରପଂଚ ପଦବୀରେ ରହିଥିଲେ । ଏବେ ଲିଙ୍ଗା ଗମାଙ୍ଗଙ୍କ ୩ ବୋହୂ ଉଷାରାଣୀ ଗମାଙ୍ଗ ସରପଂଚ ପାଇଁ, ପାର୍ବତୀ ଗମାଙ୍ଗ ସମିତି ସଭ୍ୟ ଓ ସବିତା ଗମାଙ୍ଗ ପଦ୍ମପୁର ଜୋନରୁ କଂଗ୍ରେସ ପକ୍ଷରୁ ଜିଲ୍ଲାପରିଷଦ ପାଇଁ ପ୍ରାର୍ଥୀ ହୋଇଛନ୍ତି । ୨୦୧୨ ମସିହାଠାରୁ ବର୍ତମାନ ଯାଏଁ ଲିଙ୍ଗା ଗମାଙ୍ଗଙ୍କ ବୋହୂ ତଥା ପୂର୍ବତନ ବିଧାୟକ ତ୍ରିନାଥ ଗମାଙ୍ଗଙ୍କ ସ୍ତ୍ରୀ ପାର୍ବତୀ ଗମାଙ୍ଗ ସରପଂଚ ପଦବୀରେ ରହିଆସିଛନ୍ତି ।