କନକ ବ୍ୟୁରୋ: କୁଜଙ୍ଗ ବ୍ଲକ ପଣ୍ଡୁଆ ପଂଚାୟତର ଗୋଟିଏ ପରିବାରର ବାପା, ବୋହୂ ଓ ଝିଅ । ନିର୍ବାଚନ ମୈଦାନରେ ଏମାନେ କରୁଛନ୍ତି ଭାଗ୍ୟ ପରୀକ୍ଷା । ସରପଂଚ, ଜିଲ୍ଲା ପରିଷଦ ଆଉ ସମିତି ସଭ୍ୟ ପ୍ରାର୍ଥୀ ଭାବେ ଭୋଟ୍ ରାଜନୀତିକୁ ଓହ୍ଲାଇଛନ୍ତି । ୩୨ ବର୍ଷ ତଳେ କୌଳାସ ସ୍ୱାଇଁ ପ୍ରତିଷ୍ଠା କରିଥିଲେ ବାଲିଘର ସାହିତ୍ୟ ଓ ସଂସ୍କୃତି ପ୍ରତିଷ୍ଠାନ । ଉଦ୍ଦେଶ୍ୟ ଥିଲା ଗାଁର ବିକାଶ କରିବା । କିନ୍ତୁ ଏବେ ବି ପିଇବା ପାଣି, ଗାଁକୁ ରାସ୍ତା ଓ ଅନ୍ୟାନ୍ୟ ସୁବିଧା ପଂଚାୟତ ପାଇଁ ଅପହଂଚ ହୋଇ ରହିଛି ।
ଆଉ ଏହି ଅପଂହଚ ସମସ୍ୟାର ସମାଧାନ ଲାଗି କୌଳାସ ଚନ୍ଦ୍ର ସ୍ୱାଇଁ ନିଜେ ପ୍ରାର୍ଥୀ ହେବା ସହ ନିଜ ବୋହୂ ଓ ଝିଅକୁ ରାଜନୀତିକୁ ଆଣିଛନ୍ତି । କୌଳାସ ପଣ୍ଡୁଆ ସଂରପଚ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ସବୁଠାରୁ ବଡ କଥା ହେଲା ଆଗାମୀ ଦିନର କାର୍ଯ୍ୟପନ୍ଥା ନେଇ ବାଲିଘର ପରିବାରର ସେବାନୀତି ଇସ୍ତାହାର ବି ପ୍ରକାଶ କରିଛନ୍ତି ।
କୌଳାସଙ୍କ ଛଡା ତାଙ୍କ ବୋହୂ ସ୍ୱପ୍ନିତା ସ୍ୱାଇଁ କୁଜଙ୍ଗ ୨ ନମ୍ବର ଜୋନରୁ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି । ଝିଅ ଶୁଭଶ୍ରୀ ଶୁଭସ୍ମିତା ପଣ୍ଡୁଆ ପଂଚାୟତ ସମିତି ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ନିର୍ବାଚନ ମଇଦାନରେ ନୂଆ ହୋଇଥିଲେ ବି ସ୍ୱପ୍ନ ଏମାନଙ୍କ ଅନେକ । ବିଜୟୀ ହେଲେ ନିଜ ମାଟି ପାଇଁ କିଛି କରିବେ ବୋଲି ଏମାନେ ଲକ୍ଷ୍ୟ ରଖିଛନ୍ତି ।
କୌଣସି ସଙ୍ଗଠନ କିମ୍ବା ଦଳର ସମର୍ଥନ ନ ନେଇ କୌଳାସ, ସ୍ୱପ୍ନିତା ଓ ଶୁଭଶ୍ରୀ ସ୍ୱାଧୀନ ଭାବେ ନିର୍ବାଚନ ଲଢୁଛନ୍ତି । ହେଲେ ଗୋଟିଏ ପରିବାରରୁ ୩ ଜଣ ପ୍ରାର୍ଥୀ ହେବା ରାଜନୀତିକୁ ଆହୁରି ରୋଚକ କରୁଛି ।