ସଂଗଠନ ବିରୋଧରେ ଆଂଚଳିକ ବୈଷମ୍ୟ ଅଭିଯୋଗ ଆଣିଲେ ମାଓନେତ୍ରୀ ସବିତା ପୋଡିଆମୀ : କହିଲେ, ଓଡ଼ିଆ ବୋଲି କରାଯାଉଥିଲା ଅଣଦେଖା

152

କନକ ବ୍ୟୁରୋ : ଆଂଚଳିକ ବିଭେଦ କାରଣରୁ ମାଓ ସଂଗଠନ ଛାଡିଲେ ସବିତା ପୋଡିଆମୀ । ଗତକାଲି ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ସେ ଆତ୍ମସମର୍ପଣ କରିଥିଲେ । ହେଲେ ସେ କାହିଁକି ମାଓ ସଂଗଠନ ଛାଡିଲେ, ସେନେଇ ଡିଜି ଅଫିସରୁ ଜାରି ଏକ ପ୍ରେସ ରିଲିଜରେ ସ୍ପଷ୍ଟ କରାଯାଇଛି । ପ୍ରଥମତଃ ଓଡିଶା ସରକାରଙ୍କ ଉତ୍ତମ- ଆତ୍ମସମର୍ପଣ ଓ ଥଇଥାନ ପ୍ୟାକେଜରେ ସେ ଆକର୍ଷିତ ହୋଇଥିବା କୁହାଯାଇଛି । ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ସେ ଲାଲବାହିନୀ ଛାଡି ମୁଖ୍ୟ ଶ୍ରୋତରେ ସାମିଲ ହୋଇଥିବା କୁହାଯାଇଛି ।

ତେବେ ଏହି ପ୍ରେସ ରିଲିଜରେ ଦୁଇଟି ସାଂଘାତିକ କଥା ଲେଖାଯାଇଛି । ମାଓ ସଂଗଠନରେ ମହିଳା ସଦସ୍ୟମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବାରେ ଚରମ ଅବହେଳା କରାଯାଉଛି । ସେହିପରି ଲାଲବାହିନୀରେ ରହିଛି ଭୀଷଣ ଆଂଚଳିକ ଭେଦଭାବ । ତେଲୁଗୁ କ୍ୟାଡର ହୋଇନଥିଲେ ସଂଗଠନରେ ବରିଷ୍ଠମାନେ ଅଣଦେଖା କରୁଥିବା ସେ ସାଂଘାତିକ ଅଭିଯୋଗ କରିଛନ୍ତି । ଅର୍ଥାତ ଓଡିଶା କ୍ୟାଡର ମାଓବାଦୀଙ୍କୁ ଲାଲବାହିନୀରେ ଉପଯୁକ୍ତ ସ୍ଥାନ ଓ ସମ୍ମାନ ଦିଆଯାଉନଥିବାରୁ ସେ ସଂଗଠନ ପ୍ରତି ବିମୁଖ ହୋଇପଡିଲେ ବୋଲି ଏହି ପ୍ରେସ ରିଲିଜରେ କୁହାଯାଇଛି ।

୩୫ ବର୍ଷୀୟ ସବିତା ପୋଡିଆମୀ ପ୍ରାୟ ୨୦ ବର୍ଷ ଧରି ନକ୍ସଲ ସଂଗଠନ ସହ ଡଜିତ ଥିଲେ । ଦଣ୍ଡାକାରଣ୍ୟ ସ୍ପେଶାଲ ଜୋନାଲ କମିଟିରେ କାମ କରୁଥିବାବେଳେ ଛତିଶଗଡ ସୁକମା ନକ୍ସଲ ଆକ୍ରମଣରେ ସଂପୃକ୍ତ ଥିଲେ । ଯେଉଁ ଆକ୍ରମଣରେ ପ୍ରାଣ ହରାଇଥିଲେ ୨୫ ସୁରକ୍ଷା କର୍ମୀ । ଗତକାଲି ପୋଲିସ ଡିଜି ଅଭୟଙ୍କ ଉପସ୍ଥିତିରେ ମାଲକାନଗିରି ଓ କୋରାପୁଟରେ ୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଥିଲେ ।