ପିପିଲି ଉପ-ନିର୍ବାଚନ ପାଇଁ ବାଜିଲା ବିଗୁଲ । ଏପ୍ରିଲ ୧୭ରେ ପଡ଼ିବ ଭୋଟ୍, ମେ’ ୨ରେ ଫଳାଫଳ । ପ୍ରାର୍ଥୀ ଖୋଜିବା ପାଇଁ ତିନି ପ୍ରମୁଖ ଦଳର କସରତ ।

120

କନକ ବ୍ୟୁରୋ: ଯେଉଁ ତାରିଖକୁ ତିନି ପ୍ରମୁଖ ରାଜନୈତିକ ଦଳ ଅନେଇ ବସିଥିଲେ ସେହି ତାରିଖ ଘୋଷଣା ହୋଇଛି । ଏପ୍ରିଲ ୧୭ ତାରିଖରେ ହେବ ପିପିଲି ଉପନିର୍ବାଚନ । ଏନେଇ ମାର୍ଚ୍ଚ ୨୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ନାମାଙ୍କନ ଦାଖଲର ଶେଷ ତାରିଖ ରହିଛି ମାର୍ଚ୍ଚ ୩୦ ତାରିଖ । ମାର୍ଚ୍ଚ ୩୧ ତାରିଖରେ ପ୍ରାର୍ଥୀପତ୍ର ଯାଂଚ ହେବ । ପ୍ରାର୍ଥୀପତ୍ର ପ୍ରତ୍ୟାହାରର ସମୟ ସୀମା ହେଲା ଏପ୍ରିଲ ୩ ତାରିଖ । ଏପ୍ରିଲ ୧୭ ତାରିଖରେ ଭୋଟ ହେବ । ମେ ୨ ତାରିଖରେ ପ୍ରକାଶ ପାଇବ ଫଳାଫଳ ।

ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଅକ୍ଟୋବର ୪ ତାରିଖରେ ଦେହାନ୍ତ ପରେ ସେହିଦିନ ଠାରୁ ଖାଲି ରହିଥିଲା ଏହି ଆସନ । ଉପନିର୍ବାଚନ ପାଇଁ ରାଜନୈତିକ ଦଳ ମଧ୍ୟରେ ଆରମ୍ଭ ହୋଇଯାଇଥିଲା ଅଙ୍କକଷା । ବିଜେଡିର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ପିପିଲି ଉପନିର୍ବାଚନ ଦାୟିତ୍ୱ ଦିଆଯାଇଥିବା ବେଳେ ବିଜେପି ରାଜ୍ୟ ପ୍ରଭାରୀ ପୁରନ୍ଦେଶ୍ୱରୀ ଘନ ଘନ ବୈଠକ କରି ରଣନୀତି ପ୍ରସ୍ତୁତିରେ ଲାଗିପଡିଛନ୍ତି । ସେପଟେ କଂଗ୍ରେସ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ବୈଠକ କରି ଦଳର ତୁଙ୍ଗ ନେତାଙ୍କ ସହିତ ବିଚାର ବିମର୍ଶ ଜାରି ରଖିଛି ।

ଛାତ୍ର ଜୀବନରୁ ରାଜନୀତି ଆରମ୍ଭ କରିଥିବା ପ୍ରଦୀପ ମହାରଥୀ ପିପିଲି ଆସନରୁ ୭ଥର ବିଧାୟକ ଭାବେ ନିର୍ବାଚିତ ହେବା ସହିତ ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଦାୟିତ୍ୱରେ ରହିଥିଲେ । ଜନତା ପାର୍ଟିରୁ ଥରେ ଜନତା ଦଳରୁ ଥରେ ଏବଂ ବିଜୁ ଜନତା ଦଳରୁ ୫ଥର ବିଧାୟକ ରହିଥିବା ବେଳେ ଗୋଟିଏ ଥର ପରାଜୟର ସାମନା କରିଥିଲେ । ଏବେ ସମସ୍ତଙ୍କ ନଜର ଅଟକିଛି ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନ ମଣ୍ଡଳୀର ଟିକେଟ କିଏ ପାଇବ । ଅନୁମାନ କରାଯାଉଛି ବିଜେଡି ପ୍ରଦୀପ ମହାରଥୀଙ୍କ ପରିବାରର ଜଣେ ସଦସ୍ୟଙ୍କୁ ଟିକେଟ ଦେଇପାରେ ।