କନକ ବ୍ୟୁରୋ:ଗତ ଅଗଷ୍ଟ ୨୯ରୁ ଆରମ୍ଭ ହୋଇଥିବା ଆଇନଜୀବୀଙ୍କ ଆନ୍ଦୋଳନକୁ ଭଣ୍ଡୁର ଉଦ୍ୟମ କରୁଥିବା ଓକିଲଙ୍କ ବିରୋଧରେ ହାଇକୋର୍ଟ ବାର ଆସୋସିଏସନ୍‌ ଶୁକ୍ରବାର କଡ଼ା କାର୍ଯ୍ୟାନୁଷ୍ଠାନ ନେଇଛି। ଆସୋସିଏସନ୍‌ରୁ ୩ ଜଣ ଆଇନଜୀବୀଙ୍କୁ ବହିଷ୍କାର କରାଯାଇଛି। ବାର୍‌ ଆସୋସିଏସନ୍‌ର ସଂପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି, ବିଜେଡି ଲିଗାଲ ଫ୍ରଣ୍ଟ ଆବାହକ ମିଲନ କାନୁନଗୋ, ବିଜେଡି ଆଇନଜୀବୀ ସାମୁଖ୍ୟର ଉପଦେଷ୍ଟା ଅସୀମ ଅମିତାଭ ଦାଶ ଓ ବାର୍‌ର ପୂର୍ବତନ ଉପ-ସଭାପତି ବଂଶୀଧର ଶତପଥୀଙ୍କୁ ବହିଷ୍କାର କରାଯାଇଛି। ସେହିପରି ବାର କାଉନ୍‌ସିଲ ଅଧ୍ୟକ୍ଷ ଟହଲି ମହାନ୍ତିଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି।

Advertisment

ଅନ୍ୟପଟେ, ଆଇନଜୀବୀଙ୍କୁ ପୁଲିସର ମାଡ଼ମାରିବା ଘଟଣାରେ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ଚଳିତ ମାସ ୯ ତାରିଖ ଯାଏ କାର‌୍ୟ୍ୟବନ୍ଦ ଜାରି ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ନଭେମ୍ବର ୯ରେ ଘଟଣାର ତଦନ୍ତ ପ୍ରକାଶ ପାଇବାକୁ ଥିବାରୁ ସେଯାଏ କାର‌୍ୟ୍ୟବନ୍ଦ ରଖିବାକୁ ଆଇନଜୀବୀମାନେ ନିଷ୍ପତ୍ତି ନେଇଛନ୍ତି। ତଦନ୍ତର ଫଳାଫଳ ପରେ ପରବର୍ତ୍ତୀ ପଦକ୍ଷେପ କ’ଣ ନିଆଯିବ, ସେ ନେଇ କାର‌୍ୟ୍ୟପନ୍ଥା ସ୍ଥିର କରାଯିବ। ହାଇକୋର୍ଟ ତଦନ୍ତ କରୁଥିବା ଆଇଜିଙ୍କୁ ୯ ତାରିଖ ଯାଏ ମହଲତ ଦେଇଛନ୍ତି। ହାଇକୋର୍ଟ ୯ ତାରିଖ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ କହିଛନ୍ତି। ଗତ ଅକ୍ଟୋବର ୩୦ରେ ହାଇକୋର୍ଟ କାର‌୍ୟ୍ୟରତ ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶଙ୍କ ତତ୍ତ୍ୱାବଧାନରେ ମାମଲାର ତଦନ୍ତ କରିବାକୁ ଆଦେଶ ଦେଇଥିଲେ। ନଭେମ୍ବର ୫ରୁ ୯ ପର‌୍ୟ୍ୟନ୍ତ ତଦନ୍ତ ଚାଲିବ ଏହା ପରେ ଶୁଣାଣି ହେବ। ନଭେମ୍ବର ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ସୂଚନାଯୋଗ୍ୟ ଗତ ଅଗଷ୍ଟ ୨୮ରେ ଆଇନଜୀବୀ ଦେବୀ ପ୍ରସନ୍ନ ପଟ୍ଟନାୟକଙ୍କୁ କଟକର ନୂଆବଜାର ଠାରେ ପୁଲିସର ମାଡ଼ ମାରିବା ଘଟଣା ନେଇ ହାଇକୋର୍ଟରେ ନ୍ୟାସଲିଷ୍ଟ ଲୋୟର ଫୋରମ, କଟକ ବାର ଆସୋସିଏସନ ଏବଂ ଆଇନଜୀବୀ ଅନ୍ତର୍ଜାମୀ ସ୍ୱାଇଁଙ୍କ ପକ୍ଷରୁ ୩ଟି ଭିନ୍ନ ଭିନ୍ନ ଜନହିତ ମାମଲା ଦାୟର ହୋଇଥିଲା। ମୁଖ୍ୟ ବିଚାରପତି ଜଷ୍ଟିସ କେ.ଏସ୍. ଜାଭେରୀଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠରେ ଶୁଣାଣୀରେ ରାୟ ପ୍ରକାଶ ପାଇଥିଲା ଯେ, କାର‌୍ୟ୍ୟରତ ବିଚାରପତି ଜଷ୍ଟିସ ସିଆର ଦାଶଙ୍କ ନେତୃତ୍ୱରେ ଏହି ମାମଲାର ତଦନ୍ତ ନଭେମ୍ବର ୫ ରୁ ୯ ମଧ୍ୟରେ ହେବ। ତତନ୍ତକାରୀ ଅଧିକାରୀ ପ୍ରତିଦିନ କାର‌୍ୟ୍ୟରତ ବିଚାରପତିଙ୍କୁ ରିପୋର୍ଟ ଦାଖଲ କରିବେ। ଶେଷରେ ନଭେମ୍ବର ୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।