କନକ ବ୍ୟୁରୋ : କେରଳରୁ ଆସିଥିବା ଏଭଳି ଏକ ଘଟଣା ସାରା ଦେଶରେ ହଇଚଇ ଖେଳାଇ ଦେଇଛି । ରବିବାର କେରଳ କୋଝିକୋଡ ଜିଲ୍ଲାରେ ଅଲପୁଝା ରୁ କନ୍ନୁର ଯାଉଥିବା ପ୍ୟାସେଜଂର ଟ୍ରେନରେ ନିଆଁ ଲଗାଇଥିବା ସନ୍ଦିଗ୍ଧକୁ ପୋଲିସ ଉତର ପ୍ରଦେଶରୁ ଗିରଫ କରାଯାଇଛି । ଗିରଫ ସନ୍ଦିଗ୍ଧର ନାଁ ଶାହରୁଖ ସୈଫୀ ବୋଲି ଜଣାପଡିଛି । ରବିବାର ଟ୍ରେନରେ ନିଆଁ ଲଗାଇବା ପରେ ଫେରାର ହୋଇଯାଇଥିଲା ଶାହରୁଖ । ତାକୁ ଗିରଫ କରିବା ପାଇଁ ପୋଲିସ ପକ୍ଷରୁ ସ୍କେଜ୍ ଜାରି କରାଯାଇଥିଲା । ମିଳିଥିବା ସୂଚନା ଅନୁସାରେ, ଶାହରୁଖ ରାଗରେ ଆସି ଚଳନ୍ତା ଟ୍ରେନରେ ନିଆାଁ ଲଗାଇଥିଲା ।
ରାତିର ସମୟ । ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀ ହଠାତ୍ ବଗି ଭିତରେ ଧୂଆଁ ଭର୍ତି ହୋଇ ଯାଇଥିବା ଅନୁଭବ କଲେ । କେହି କିଛି ବୁଝିବା ଆଗରୁ ହୁ ହୁ ହୋଇ ଜଳିବା ଆରମ୍ଭ କରିଥିଲା ଟ୍ରେନ୍ ବଗିଟି । ଫଳରେ ଯାତ୍ରୀଙ୍କ ଭିତରେ ଆତଙ୍କ ଖେଳିଯାଇଥିଲା । କେହି ଜଣେ ଟ୍ରେନର ଏମରଜନ୍ସି ଚେନ୍ ଟାଣିବାରୁ ଟ୍ରେନର ଗତି ଧିମେଇ ଯାଇଥିଲା । ତୁରନ୍ତ ଆରପିଏଫ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ କରିଥିଲା । ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୯ଜଣ ଆହତ ହୋଇଥିବା ସୂଚନା ମିଳିଛି ।

Advertisment

ଏହି ଘଟଣାରେ ସାମାନ୍ୟ ଆହତ ହୋଇଥିବା ତଥା ପ୍ରତକ୍ଷଦର୍ଶୀଙ୍କ କହିବା ଅନୁସାରେ ଅଭିଯୁକ୍ତ ହଠାତ୍ ଆସି ନିଜ ବ୍ୟାଗ୍ରୁ ଏକ ବୋତଲ କାଢି ଲୋକଙ୍କ ଉପରେ ଫିଙ୍ଗିଥିଲା । କେହି କିଛି ବୁଝିବା ଆଗରୁ ନିଆଁ ଲଗାଇ ସାରିଥିଲା ଅଭିଯୁକ୍ତ । ଏହାକୁ ଦେଖି ଭୟରେ ଲୋକେ ଦଉଡିବା ଆରମ୍ଭ କରିଥିଲେ । କେହି ଜଣେ ଟ୍ରେନର ଚେନ୍ ଟାଣି ଦେବାରୁ ଟ୍ରେନର ଗତି ଧିମେଇ ଯାଇଥିଲା । ଯାହାର ଫାଇଦା ଉଠାଇ ଅଭିଯୁକ୍ତ ଜଣଙ୍କ ଟ୍ରେନ୍ରୁ ଡେଇଁ ଫେରାର ହୋଇ ଯାଇଥିଲା । ଟ୍ରେନ୍ରେ ନିଆଁ ଲାଗିଯିବା ପରେ ଜଣେ ଯାତ୍ରୀ ନିଜ ଭଉଣୀ ଓ ତାର ୨ବର୍ଷର ଝିଅକୁ ଧରି ଭୟରେ ଟ୍ରେନ୍ରୁ ଡେଇଁ ପଡିଥିଲେ । ପରେ ସେମାନଙ୍କ ମୃତ ଦେହ ଟ୍ରେନ୍ ଲାଇନରେ ମିଳିଥିଲା । ସେପଟେ ଅଗ୍ନିକାଣ୍ଡରେ ୯ଜଣ ଗୁରୁତର ଭାବେ ଆହତ ହୋଇଥିବା ସୂଚନା ରହିଛି । କୋଜିକୋଡ ଡାକ୍ତରଖାନାରେ ଆହତଙ୍କ ଚିକିତ୍ସା ଚାଲିଛି ।

ଅଭିଯୁକ୍ତ ଗିରଫ ହୋଇଥିଲେ ବି ଏଭଳି ବର୍ବର କାଣ୍ଡର ପ୍ରକୃତ ସତ୍ୟାସତ୍ୟ ଜଣାପଡିନାହିଁ । ସେପଟେ କେରଳ ମୁଖ୍ୟମନ୍ତ୍ରୀ ପିନ୍ନାରାଇ ବିଜୟନ ଘଟଣାର ଏସଆଇଟି ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ।