ପ୍ରଧାନ ବିଚାରପତି କରିବେ ‘ରଥଯାତ୍ରା’ ଶୁଣାଣି: ନାଗପୁର ସ୍ଥିତ ଘରେ ବସି ଭିଡିଓ କନଫରେନ୍ସିଂରେ ଶୁଣାଣି କରିବେ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଏସ୍.ଏ ବୋବଡେ

504

କନକ ବ୍ୟୁରୋ: ପୁରୀ ରଥଯାତ୍ରା ମାମଲାର ଶୁଶାଣି ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ.ଏ.ବୋବଡେ କରିବେ। ପୁରୀ ଜଗନ୍ନାଥ ଧାମରେ ରଥଯାତ୍ରା ଆୟୋଜନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଯେଉଁ ସମସ୍ତ ରିଭ୍ୟୁ ପିଟିସନ ଆଗତ ହୋଇଥିଲା ତାହାର ଚୂଡ଼ାନ୍ତ ଶୁଣାଣି ସୁପ୍ରିମ୍‌ କୋର୍ଟଙ୍କ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏସ୍‌ ଏ ବୋବଡେଙ୍କ ନେତୃତ୍ୱାଧିନ ଏକ ତିନି ଜଣିଆ ଖଣ୍ଡପୀଠ କରିବେ। ଏହି ମାମଲାର ଶୁଣାଣି ପାଇଁ ପ୍ରଧାନ ବିଚାରପତି ନିଜର ଅନୁମତି ଦେଇ ସାରିଥିବା ବେଳେ, ଆଉ କିଛି ସମୟ ମଧ୍ୟରେ ଏହି ମାମଲାର ଶୁଣାଣି ଆରମ୍ଭ ହେବ।

ସୁପ୍ରିମକୋର୍ଟର ଆଜି ଜଣିକିଆ ଖଣ୍ଡପୀଠରେ ରଥଯାତ୍ରା ପ୍ରସଙ୍ଗରେ ମୂଳ ମାମଲା ସହ ଆଦେଶ ମୋଡିଫିକେସନ ଆବେଦନଗୁଡ଼ିକର ଏକାଠି ଶୁଣାଣି ଆରମ୍ଭ ହେବା ଅବ୍ୟବହିତ ପୂର୍ବରୁ ମାମଲାରେ ରାଜ୍ୟ ସରକାର ପକ୍ଷଭୁକ୍ତ ହୋଇଥିଳେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା। ଏହି ସତ୍ୟପାଠରେ ଦର୍ଶାଯାଇଥିଲା ଯେ ଯଦି ଶ୍ରୀମନ୍ଦିର ପରିଚାଳନା ସମିତିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ପ୍ରସ୍ତାବ କ୍ରମେ କେବଳ ପୁରୀରେ ଜନସାଧାରଣଙ୍କ ଯୋଗଦାନ ବ୍ୟତିରେକେ ରଥଯାତ୍ରା ଅନୁଷ୍ଠିତ ହୁଏ, ତେବେ ରାଜ୍ୟ ସରକାର ଏଥିଲାଗି ଆବଶ୍ୟକୀୟ ବ୍ୟବସ୍ଥା ଗ୍ରହଣ କରିବେ।

ଅନ୍ୟପକ୍ଷରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ସୁପ୍ରିମ୍‌ କୋର୍ଟରେ ଉପସ୍ଥିତ ରହି ବିଚାରପତିଙ୍କୁ କହିଥିଲେ ଯେ ରଥଯାତ୍ରା ପରମ୍ପରା ଶତାବ୍ଦୀ ଶତାବ୍ଦୀ ଧରି ଚାଲି ଆସିଛି। ଏହାକୁ ଏପରି ହଠାତ୍‌ ବନ୍ଦ କରି ଦିଆଯାଇ ପାରିବ ନାହିଁ। ଯଦି ଚଳିତ ବର୍ଷ ରଥଯାତ୍ରାକୁ ବନ୍ଦ ରଖାଯାଉଛି ତେବେ ବିଧି ମୁତାବକ ଶ୍ରୀଜିଉମାନେ ଆଉ ଆସନ୍ତା ୧୨ ବର୍ଷ ପାଇଁ ରଥଯାତ୍ରରେ ବାହାରି ପାରିବେ ନାହିଁଁ। ତେଣୁ, କୋଭିଡ୍‌- ୧୯ ସଂକ୍ରମଣକୁ ରୋକିବା ପାଇଁ ପୁରୀରେ ଗୋଟିଏ ଦିନ ପାଇଁ କର୍ଫ୍ୟୁ ଜାରି କରାଯାଇ ଭକ୍ତଙ୍କ ବିନା ରଥଯାତ୍ରାର ଆୟୋଜନ କରାଯାଉ। ଏବଂ ଭକ୍ତମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ରଥଯାତ୍ରାର ସିଧା ପ୍ରସାରଣ କରାଯାଉ ବୋଲି ସେ ଯୁକ୍ତି ବାଢ଼ିଥିଲେ।

ସଲିସିଟର ‌ଜେନେରାଲ ତୁଷାର ମେହାଟ୍ଟଙ୍କ ଏ ଯୁକ୍ତି ଓ ଓଡ଼ିଶା ରାଜ୍ୟ ସରକାରଙ୍କ ପକ୍ଷରୁ ଦାଖଲ ହୋଇଥିବା ସତ୍ୟପାଠକୁ ଅନୁଧ୍ୟାନ କରିବା ପରେ ସୁପ୍ରିମ୍‌ କୋର୍ଟର ବିିଚାରପତି ଜଷ୍ଟିସ୍‌ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କ ଜଣିକିଆ ବେଞ୍ଚ ଏହି ମାମଲାର ପରବର୍ତ୍ତୀ ଶୁଣାଣିକୁ ଅଧଘଣ୍ଟା ପରକୁ ଧାର୍ଯ୍ୟ କରିବା ସହ ଏହି ମାମଲାକୁ ଏକ ବୃହତ୍ତର ଖଣ୍ଡପୀଠକୁ ପଠାଇ ଦେଇଥିଲେ। ଏହି ସମସ୍ତ ଘଟଣା ପରିପ୍ରେକ୍ଷୀରେ ଆଜିର ଏ ଘଟଣାକ୍ରମ ଚଳିତ ବର୍ଷ ପୁରୀରେ ଭକ୍ତଶୂନ୍ୟ ରଥଯାତ୍ରା ପାଇଁ ବାଟ ଫିଟାଇବ ବୋଲି ଆଶା କରାଯାଉଛି।