କନକ ବ୍ୟୁରୋ : ଏମସିଏଲ ବିସ୍ଥାପନଙ୍କୁ କ୍ଷତିପୂରଣ ନାଁରେ ଜାଲ ଦସ୍ତଖତ କରି ବଡ ଠକେଇ । କ୍ଲେମ୍ସ କମିଶନର ପୂର୍ବତନ ସେକ୍ରେଟାରୀ ଆଇଏଏସ ବେଣୁଧର ବିଶ୍ୱାଳଙ୍କ ଜାଲ ଦସ୍ତଖତ କରି ୧କୋଟି ୧୬ଲକ୍ଷ ୪୩ ହଜାର ଟଙ୍କା ଠକି ନେଇଛନ୍ତି ତିନି ଜଣ । ଜଣେ ମହାନଦୀ କୋଲ ଫିଲ୍ଡ ଲିମିଟେଡର ଅଧିକାରୀ ତ୍ରିଲୋଚନ ଦଣ୍ଡସେନା, କ୍ଲେମ୍ସ କମିଶନର କ୍ଲକ ସ୍ୱାଗତ ପ୍ରକାଶ ବରାଳ, କ୍ଲେମ୍ସ କମିଶନର ଟେକନିକାଲ ଇନ୍ସପେକ୍ଟର ଦୁଷ୍ମନ୍ତ ପଟେଲଙ୍କୁ ଗିରଫ କରିଛି ଖାରବେଳନଗର ପୋଲିସ ।

Advertisment

ଏମସିଏଲ ପାଇଁ ଯେଉଁ ଲୋକଙ୍କ ଜମି ଯାଇଥାଏ, ତାଙ୍କୁ କ୍ଲେମ୍ସ କମିଶନ ମାଧ୍ୟମରେ ଟଙ୍କା ମିଳିଥାଏ । ମଙ୍ଗଶିର ଧରୁଆ ନାମକ ଜଣେ ବ୍ୟକ୍ତିଙ୍କର ଜମି ଏମସିଏଲ ନେଇଥିଲା । ଏହି ତିିନି ଜଣ ଅଭିଯୁକ୍ତ ଜାଲ ଅର୍ଡର ପ୍ରସ୍ତୁତ କରି ସେଥିରେ କ୍ଲେମ୍ସ କମିଶନର ତକ୍ରାଳିନ ସେକ୍ରେଟାରୀ ତଥା ନୋଡାଲ ଅଫିସର ଆଇଏଏସ ବେଣୁଧଣର ବିଶ୍ୱାଳଙ୍କ ଜାଲି ଦସ୍ତଖତ କରି ସୁନ୍ଦରଗଡରେ ଥିବା ଏମସିଏଲର ଏଡିଏମଙ୍କ ନିକଟକୁ ସାଂସନ ପାଇଁ ପଠାଇଥିଲେ ।

ଅର୍ଡର ପାଇବା ପରେ ତୁରନ୍ତ ୧କୋଟି ୧୬ ଲକ୍ଷ ୪୩ ହଜାର ଟଙ୍କା ମଙ୍ଗଶିର ଆକାଉଂଟକୁ ଏଡିଏମ ପଠାଇ ଦେଇଥିଲେ । ଟଙ୍କା ପାଇବା ପରେ ମଙ୍ଗଶିର ୨୦ଲକ୍ଷ ଟଙ୍କା ତ୍ରିଲୋଚନ ଆକାଉଁଟକୁ ଦେଇଥିବାବେଳେ ୧୦ଲକ୍ଷ ଟଙ୍କା ସ୍ୱାଗତ ବରାଳଙ୍କୁ ଦେଇଥିଲେ । ତ୍ରିଲୋଚନ ସେହି ଟଙ୍କାରୁ ୫ଲକ୍ଷ ଟଙ୍କା ଦୁଷ୍ମନ୍ତ ପଟେଲଙ୍କୁ ଦେଇଥିଲେ । ସମସ୍ତ ଘଟଣା ଜାଣିବା ପରେ ବେଣୁଧର ଖାରବେଳ ନଗର ଥାନାରେ ଅଭିଯୋଗ କରିଥିଲେ । ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିଛି ପୋଲିସ ।