ବାବୁଙ୍କ ପାଖରେ ବିଡ଼ା ବିଡ଼ା ଟଙ୍କା । ଭୁବନେଶ୍ୱର ସମେତ ତିନିଟି ସ୍ଥାନରେ ଚଢ଼ାଉ କରି ୩ ଅଧିକାରୀଙ୍କୁୁ ଗିରଫ କଲା ଭିଜିଲାନ୍ସ

175

କନକ ବ୍ୟୁରୋ : ପୂଜା ପୂର୍ବରୁ ବିଡାବିଡା ଟଙ୍କା ଧରି ଘରମୁହାଁ ହେଉଛନ୍ତି ସରକାରୀ ଅଧିକାରୀ । ଭୁବନେଶ୍ୱର ସମେତ ୩ଟି ସ୍ଥାନରେ ଚଢାଉ କରି ୩ ଅଧିକାରୀଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏମାନଙ୍କ ଭିତରେ ଅଛନ୍ତି କେନ୍ଦୁଝର ଶାଳପଡା ବୈତରଣୀ ଡିଭିଜନ୍ ଅଧୀକ୍ଷଣ ଯନ୍ତ୍ରୀ ବିଧାନ ଚନ୍ଦ୍ର ସାହୁ ବିପୁଳ ଟଙ୍କା ଧରି କଟକ ଆସୁଥିବା ଖବର ମିଳିଥିଲା । ଭିଜିଲାନ୍ସ ତାଙ୍କ ଉପରେ ନଜର ରଖିଥିଲା ।

କେନ୍ଦୁଝରରୁ ଅଫିସ ବୋଲେରୋରେ ବାହାରି କଟକ ଆସୁଥିବାବେଳେ ଯାଜପୁର ଏନସି କଲେଜ ରୋଡରେ ଥିବା କୋଭିଡ ହସ୍ପିଟାଲ ସମ୍ମୁଖରେ ଭିଜିଲାନ୍ସ ତାଙ୍କୁ ଅଟକାଇଥିଲା । ଗାଡି ଯାଂଚ ବେଳେ ନଗଦ ୧୦ ଲକ୍ଷ ୭ ହଜାର ୨୬୦ ଟଙ୍କା ଜବତ କରାଯାଇଥିଲା ।
ସେହିପରି ରାଉରକେଲା ପାନପୋଷ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ ଅଧିକାରୀ ପ୍ରକାଶ କୁମାର ମହାପାତ୍ର ଭୁବନେଶ୍ୱର ସୁନ୍ଦରପଦାରୁ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ସେ ରାଉରକେଲାରୁ ବିଭିନ୍ନ ସୂତ୍ରରୁ ଟଙ୍କା ଆଦାୟ କରି ଆସୁଥିବାବେଳେ ଭିଜିଲାନ୍ସ ହାତରେ ପଡିଥିଲେ । ତାଙ୍କଠାରୁ ୧ ଲକ୍ଷ ୭୫ ହଜାର ୮୧୦ ଟଙ୍କା ଜବତ ହୋଇଛି ।
ସେହିପରି ରାଜ୍ୟ ପ୍ରଦୂଷଣ ବୋର୍ଡର ବାଲେଶ୍ୱର ଆଂଚଳିକ ଅଧିକାରୀ ନରୋତମ ବେହେରା ମଧ୍ୟ ଭିଜିଲାନ୍ସ ହାତରେ ଧରା ପଡିଛନ୍ତି । ବାଲେଶ୍ୱରରୁ ଏକ ଘରୋଇ ଗାଡିରେ ଟଙ୍କା ଧରି ଭୁବନେଶ୍ୱର ଆସୁଥିବାବେଳେ କଟକ ଟାଙ୍ଗୀ ଚେକଗେଟ୍ ନିକଟରେ ଧରିଛି ଭିଜିଲାନ୍ସ । ତାଙ୍କ ନିକଟରୁ ୮୯ ହଜାର ୨୯୦ ଟଙ୍କା ମିଳିଛି ।