କୃଷି ଆଇନ ପ୍ରତ୍ୟାହାର ନେଇ ଖୁସି ନାହାଁନ୍ତି ସୁପ୍ରିମ କୋର୍ଟ ପ୍ୟାନେଲ, ମୁଖ୍ୟ ବିଚାରପତିଙ୍କ ପାଖରେ କଲେ ଆବେଦନ

384

କନକ ବ୍ୟୁରୋ : କେନ୍ଦ୍ର ସରକାରଙ୍କ ତରଫରୁ ୩ ଟି କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା ହେବା ପରେ ଏନେଇ ସୁପ୍ରିମ କୋର୍ଟଙ୍କ ଦ୍ୱାରା ନିଯୁକ୍ତ ପ୍ୟାନେଲ ଖୁସି ନଥିବା ଜଣାପଡିଛି । ସୁପ୍ରିମ କୋର୍ଟ ଦ୍ୱାରା ନିଯୁକ୍ତ କମିଟିର ସଦସ୍ୟ ଅନିଲ ଧନବଟ ମଙ୍ଗଳବାର ଦିନ ଏନେଇ ମୁଖ୍ୟ ବିଚାରପତି ଏନ.ଭି ରମନ୍ନାଙ୍କ ନିକଟକୁ ଚିଠି ଲେଖିଛନ୍ତି । ଏହି ଚିଠିରେ ସେ ଖୁବଶୀଘ୍ର ପ୍ୟାନେଲ ଦ୍ୱାରା ଦିଆଯାଇଥିବା ରିପୋର୍ଟ ସାର୍ବଜନୀନ କରିବା ନେଇ ବିଚାର କରିବା ନେଇ କମିଟିକୁ ଅଧିକାର ଦେବାକୁ ଅନୁରୋଧ କରିଛନ୍ତି ।

କୃଷକ ସଂଗଠନର ବରିଷ୍ଠ ନେତା ଧନବଟ କହିଛନ୍ତି କି ଆସନ୍ତା ମାସ ସେ ୧ଲକ୍ଷ କୃଷକଙ୍କୁ ନେଇ କୃଷି ଆଇନ ପ୍ରତ୍ୟାହାର ବିରୋଧରେ ଦିଲ୍ଲୀରେ ଆନ୍ଦୋଳନ କରିବେ । ସେ ପ୍ରଧାନ ବିଚାରପତିଙ୍କୁ ଲେଖିଥିବା ଚିଠିରେ ଧନବଟ କହିଛନ୍ତି କି ଶୀତକାଳିନ ଅଧିବେଶନରେ ସରକାର କୃଷି ଆଇନକୁ ନିରସ୍ତ୍ର କରିବା ପରେ କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟରେ କୌଣସି ପ୍ରାସଙ୍ଗିକତା ନାହିଁ । ଧନବଟ ଆଶା କରିଛନ୍ତି କି କମିଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ରିପୋର୍ଟ ସାର୍ବଜନୀନ କରାଯିବା ପରେ ସେହି କୃଷକମାନେ (ଆନ୍ଦୋଳନକାରୀ କୃଷକ) ବୁଝି ପାରିବେ କି ଆଇନରେ ବାସ୍ତବରେ କଣ ରହିଛି ।

ଧନବଟ ମୁଖ୍ୟ ବିଚାରପତିଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି କି, ଏହି ରିପୋର୍ଟ ସାର୍ବଜନୀନ ହେଲେ ଏହା କୃଷକମାନଙ୍କ ମଧ୍ୟରେ ଥିବା ଭୁଲ ଧାରଣାକୁ ଠିକ କରିବାରେ ସହାୟକ ହେବ । କହିରଖୁ କି ୩ ସଦସ୍ୟ ବିଶିଷ୍ଟ ଏହି କମିଟି ୨୦୨୧ ମାର୍ଚ୍ଚ ୧୯ ତାରିଖ ଦିନ ସୁପ୍ରିମ କୋର୍ଟରେ ଏକ ରିପୋର୍ଟ ଦାଖଲ କରିଥିଲେ । ହେଲେ ସୁପ୍ରିମ କୋର୍ଟ ଏପର୍ଯ୍ୟନ୍ତ ସେହି ରିପୋର୍ଟକୁ ସାର୍ବଜନୀନ କରି ନାହିଁ ।