କଥା ରଖିଲେ ପ୍ରଧାନମନ୍ତ୍ରୀ , ସଂସଦରେ ୩ କୃଷି ଆଇନ ରଦ୍ଦ ନେଇ କ୍ୟାବିନେଟର ମଞ୍ଜୁରୀ

185

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀଙ୍କ ଘୋଷଣା ପରେ ତିନୋଟି କୃଷି ଆଇନ ରଦ୍ଦ କରିବା ନେଇ ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି । ବୁଧବାର ଦିନ କ୍ୟାବିନେଟ ବୈଠକରେ ଏହି ବିଲ ପ୍ରତ୍ୟାହାର କରିବା ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏନେଇ ସରକାରୀ ସ୍ତରରେ କୌଣସି ଘୋଷଣା ହୋଇ ନାହିଁ । ଅପରାହ୍ନ ୩ ଟାରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କରିବେ ବୋଲି ଅନୁମାନ କରାଯାଉଛି ।

କ୍ୟାବିନେଟରେ ମଞ୍ଜୁରୀ ମିଳିବା ପରେ ଏହି ବିଲକୁ ସଂସଦରେ ଉପସ୍ଥାପନ କରାଯିବ । ଏହି ବିଲକୁ ଡିସେମ୍ବର ୨୯ ତାରିଖ ଠାରୁ ଆରମ୍ଭ ହେବାକୁ ଥିବା ଶୀତକାଳିନ ଅଧିବେଶନରେ ଉପସ୍ଥାପନ କରାଯିବ ବୋଲି ଅନୁମାନ କରାଯାଉଛି । ଅନ୍ୟପଟେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ସୁପାରିଶ କ୍ରମେ ଆଇନ ରଦ୍ଦ କରିବାକୁ ବିଲ ପ୍ରସ୍ତୁତ କରାଯାଉଛି ।

ରଦ୍ଦ ହେବାକୁ ଥିବା ୩ ଟି କୃଷି ଆଇନ ମଧ୍ୟରେ ରହିଛି  କୃଷକ ବାଣିଜ୍ୟ ବିଲ (ପ୍ରୋତ୍ସାହନ ଏବଂ ସରଳୀକରଣ),  କୃଷକ (ସଶକ୍ତିକରଣ-ସୁରକ୍ଷା) ମୂଲ୍ୟ ଆଶ୍ୱାସନା ଏବଂ କୃଷି ସେବା ବିଲ, ୨୦୨୦ ଉପରେ ଚୁକ୍ତିନାମା ଓ ଅତ୍ୟାବଶ୍ୟକ ଦ୍ରବ୍ୟ (ସଂଶୋଧନ) ବିଲ ୨୦୨୦ ।

କହିରଖୁ କି ଯେଭଳି ଭାବେ ଆଇନ ପାରିତ କରିବା ବେଳେ ସଂସଦର ମଞ୍ଜୁରୀ ଆବଶ୍ୟକ ସେହିଭଳି ରଦ୍ଦ କରିବାକୁ ବି ସଂସଦର ମଞ୍ଜୁରୀ ଆବଶ୍ୟକ । ଏବେ ଏହି ବିଲ୍ ରଦ୍ଦ କରିବାକୁ ସଂସଦରେ ଉପସ୍ଥାପନ କରାଯିବ, ଏହାପରେ ସଂସଦରେ ଏନେଇ ତର୍କ ହେବା ପର ଏହା ଉପରେ ଭୋଟିଂ କରାଯିବ । ଏହାପରେ ବିଲ୍ ଯଦି ପାରିତ ହେବ ତେବେ ସଂସଦରେ କୃଷି ଆଇନ ରଦ୍ଦ ହେବ ।