ବ୍ରହ୍ମପୁରରେ ଅଭାବନୀୟ ଘଟଣା । ଶ୍ୱାସରୁଦ୍ଧ ହୋଇ ଆଖିବୁଜିଲେ ୩ ଜଣ ଶ୍ରମିକ । ପାଇଖାନା ସେଣ୍ଟ୍ରିଂ ଖୋଲିବାକୁ ଯାଇଥିବା ବେଳେ ଘଟିଲା ଅଘଟଣ 

112

କନକ ବ୍ୟୁରୋ : ଗଞ୍ଜାମ ଗୋପାଳପୁର ଅଂଚଳରେ ଅଭାବନୀୟ ଘଟଣା । ଶ୍ୱାସରୁଦ୍ଧ ହୋଇ ଚାଲିଗଲା ୩ ଜଣଙ୍କ ଜୀବନ । ଗୋପାଳପୁର ଅନ୍ତର୍ଗତ ବିକ୍ରମପୁରରେ ସେଫ୍ଟିକ ଟ୍ୟାଙ୍କର ସେଣ୍ଟ୍ରିଂ କାମ ବେଳେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ସେଣ୍ଟ୍ରିଂ କାମ କରୁଥିବା ମିସ୍ତ୍ରୀ ଜଣକ ଟ୍ୟାଙ୍କରରେ ରହିଯାଇଥିଲେ । ତାଙ୍କୁ ଉଦ୍ଧାର କରିବାକୁ ଟ୍ୟାଙ୍କର ଭିତରକୁ ଆଉ ଦୁଇ ଜଣ ଯାଇଥିଲେ । ଶ୍ୱାସରୁଦ୍ଧ ହୋଇ ୩ ଜଣ ଯାକଙ୍କର ମୃତ୍ୟୁ ହୋଇଥିଲା ।

ସୂଚନାନୁସାରେ, ଟି.ସିଦ୍ଧେଶୁଙ୍କ ଘରର ନବନିର୍ମିତ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲିବାକୁ ପ୍ରଥ‌ମେ ମିସ୍ତ୍ରି ସଦାନନ୍ଦମ୍ ଭିତରେ ପଶିଥିଲେ । କିନ୍ତୁ ବହୁ ସମୟ ଧରି ନଫେରିବାରୁ ସିଦ୍ଧେଶୁଙ୍କ ପଡ଼ୋଣୀ କ୍ରିଷ୍ଣା ଟାଙ୍କି ଭିତରକୁ ଯାଇଥିଲେ । ତଥାପି ଉଭୟଙ୍କ ପାଟି ଆଉ ଶୁଭି ନଥିଲା । ଶେଷରେ ଆଉ ଜଣେ ପ‌ଡ଼ୋଶୀ ତରେନେୟା କିଛି ସମୟ ପରେ ଟାଙ୍କି ଭିତରକୁ ପଶି ସେ ମଧ୍ୟ ଆଉ ଫେରି ନଥିଲେ । ଅଞ୍ଚଳବାସୀ ଉଦ୍ୟମ କରି ତିନି ଜଣଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ୍ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ୩ ଜଣଙ୍କୁ ମୃତ ଘୋଷଣା କରିଥିଲେ ।