ପୁଣି ମଦ ମାରିଲା ମଣିଷ: ବିଷାକ୍ତ ମଦ ପିଇ ଭଦ୍ରକ ତିହିଡିରେ ତିନି ମୃତ, ୩ଗୁରୁତର

କ୍ଷତିପୂରଣ ଦାବିରେ ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ, ଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ

232

କନକ ବ୍ୟୁରୋ: ଭଦ୍ରକ ଜିଲ୍ଲାର ତିହିଡି ବ୍ଲକ୍ ଅନ୍ତର୍ଗତ ପୀରହାଟରେ ମଦ ପିଇ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି କି, ବିଷାକ୍ତ ମଦ ପିଇ ସେମାନଙ୍କର ମୃତ୍ୟୁ ଘଟିଛି ।

ତିହିଡି ବ୍ଲକର ପୀରହାଟ ଅଂଚଳର ଦୌଲତପୁର ପଞ୍ଚାୟତର ନିମେଇ ସାହିରେ ଗତକାଲି ଭୋଟ୍ ଗ୍ରହଣ ସରିବା ପରେ କେତେକ ଲୋକ ମଦ୍ୟପାନ କରିଥିଲେ। ଏହି ମଦ ବିଷାକ୍ତ ହୋଇଥିବା ହେତୁ ୩ ଜଣ ହଠାତ୍ ଅଚେତ ହୋଇପଡ଼ିଥିଲେ। ସେମାନଙ୍କୁ ବିଳମ୍ବିତ ରାତ୍ରିରେ ତିହିଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଅତ୍ୟାଧିକ ଗୁରୁତର ଥିବାରୁ ସେମାନଙ୍କ ମଧ୍ୟରୁ ଦୁଇଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଏହି ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ଏହାପରେ ତିହିଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଥିବା ଆଉ ଜଣଙ୍କର ମୃତ୍ୟୁ ଘଟିଥିଲା। ମୃତକମାନେ ହେଲେ ରାମଚନ୍ଦ୍ର ପଢ଼ିଆରି, ସାଧୁଚରଣ ନାୟକ ଏବଂ ସର୍ବେଶ୍ବର ଦାସ।

ଏହା ବାଦ୍ ଗତ ରାତିରେ ମଦ୍ୟପାନ କରିଥିବା ୩ ଜଣଙ୍କୁ ଗୁରୁତରଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ କୁନା ଜେନା, ବାଇଧର ନାୟକ ଓ ଶଙ୍କର୍ଷଣ ଦାସ। ମଦ ମୃତ୍ୟୁ ଖବର ପାଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଭୁବନେଶ୍ବରରୁ ସ୍ବାସ୍ଥ୍ୟ ବିଭାଗର ଏକ ସ୍ବତନ୍ତ୍ର ଟିମ ମଧ୍ୟ ଭଦ୍ରକ ଆସୁଥିବା ଜଣାଯାଇଛି। ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ପ୍ରକାଶ ପାଇଛି ଓ ଶହ ଶହ ଲୋକ ତିହିଡି-ଚାନ୍ଦବାଲି ରାସ୍ତା ଅବରୋଧ କରିଛନ୍ତି।