ଗୋପ ଛଇତନା ନିକଟ ଏକ ପୋଖରୀରୁ ୩ହରିଣ ଉଦ୍ଧାର । କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟରୁ ଖାଦ୍ୟ ଓ ପାଣି ଅନ୍ୱେଷଣରେ ଚାଲି ଆସିଥିବା ଅନୁମାନ ।

ଗୋପ ଛଇତନା ନିକଟ ଏକ ପରିତ୍ୟକ୍ତ ପୋଖରୀରୁ ୩ଟି ହରିଣକୁ ଉଦ୍ଧାର କରାଯାଇଛି ।

146

କନକ ବ୍ୟୁରୋ: ଗୋପ ଛଇତନା ନିକଟ ଏକ ପରିତ୍ୟକ୍ତ ପୋଖରୀରୁ ୩ଟି ହରିଣକୁ ଉଦ୍ଧାର କରାଯାଇଛି । ଗୋପ ଅଗ୍ନିଶମ ବାହିନୀ ହରିଣ ଗୁଡିକୁ ଉଦ୍ଧାର କରିଛନ୍ତି । ଏମାନେ କୋଣାର୍କ-ବାଲୁଖଣ୍ଡ ଅଭୟାରଣ୍ୟର ହରିଣ ବୋଲି କୁହାଯାଉଛି । ବାତ୍ୟା ପରେ ଖାଦ୍ୟ ଓ ପାଣି ଅନ୍ୱେଷଣରେ ଅଭୟାରଣ୍ୟ ଛାଡି ଚାଲି ଆସିଥିବା ଅନୁମାନ କରାଯାଉଛି ।

ବାତ୍ୟା ପ୍ରଭାବରେ ବାଲୁଖଣ୍ଡରେ ହଜାର ହଜାର ଗଛ ଭାଙ୍ଗି ପଡିଛି । ଏଗୁଡିକୁ ସଫା କରି ହରିଣଙ୍କ ଠିକଣା ଠାବ କରିବା କଷ୍ଟକର ହେଉଛି । ତେବେ ପ୍ରାୟ ୧୧ କିଲୋମିଟର ବ୍ୟାପୀ ଫରେଷ୍ଟ ରୋଡ ସଫେଇ ସରିଛି । ସେହିପରି ସେକ୍ସନ ଲାଇନ୍ ଓ ବାଉଣ୍ଡରୀ ଲାଇନ୍ ସଫେଇ ମଧ୍ୟ କରାଯାଇଛି । ଏବେ ଅତ୍ୟଧିକ ଖରା ହେଉଥିବାରୁ ଓ ଗଛଗୁଡିକ ଭାଙ୍ଗି ପଡିଥିବାରୁ ହରିଣ ଗଣତି କରିବା ମଧ୍ୟ ସମ୍ଭବପର ହେଉନାହିଁ । ଖରାଦିନେ ପଗମାର୍କ ବା ପାଦଚିହ୍ନ ଦେଖି ଗଣନା କରିବା ମଧ୍ୟ ସମ୍ଭବ ନୁହେଁ । ତେଣୁ ହରିଣମାନେ କେଉଁଠି ଅଛନ୍ତି ଓ କେତେ ସଂଖ୍ୟାରେ ଅଛନ୍ତି ତାହା ଜାଣିବାକୁ ଡ୍ରୋନ୍ କ୍ୟାମେରାର ସହାୟତା ନିଆଯିବ ବୋଲି ପିସିସିଏଫ କହିଛନ୍ତି ।

ବାଲୁଖଣ୍ଡରେ ରହୁଥିବା ପ୍ରାୟ ୪ ହଜାର ଚିତ୍ରା ହରିଣ ରହିଥାନ୍ତି । ଫୋନି ପରେ ହରିଣ କୁଆଡେ ଗଲେ ବୋଲି ଆଶଙ୍କା ପ୍ରକାଶ ପାଇଥିଲା । ତେବେ ଏହି ହରିଣମାନେ ସୁରକ୍ଷିତ ଥିବା ଗତକାଲି ସୂଚନା ଦେଇଥିଲେ ପିସିସିଏଫ । ସେ କହିଥିଲେ, ଅଭୟାରଣ୍ୟର କୃତ୍ରିମ ଚାରଣଭୂଇଁ ନିକଟରେ ପାଣି ପିଇବାକୁ ଆସୁଥିବାବେଳେ ହରିଣଙ୍କ ଭିଡିଓ ରେକର୍ଡିଂ କରାଯାଇଛି । ତେବେ ସେମାନେ ନିର୍ଦ୍ଦିଷ୍ଟ କେଉଁ ଅଂଚଳରେ ରହୁଛନ୍ତି ତାହା ଜାଣିବାକୁ ଡ୍ରୋନ୍ କ୍ୟାମେରାର ସହାୟତା ନିଆଯିବ ।