କଳ୍ପନା ଦାଶ-ବବଲି ଡବଲ୍ ମର୍ଡର ଘଟଣା । ଆଜି ସରୁଛି ଅନୁପଙ୍କ ରିମାଣ୍ଡ । ବଳିଷ୍ଠ ପ୍ରମାଣ ଯୋଗାଡରେ ଲାଗି ପଡିଛି ରାୟଗଡ ପୋଲିସ

259

କନକ ବ୍ୟୁରୋ: ରାୟଗଡ ଡବଲ ମର୍ଡର ଘଟଣାରେ ଅନୁପ ସାଏଙ୍କୁ ଜେରାବେଳେ ରାୟଗଡ ପୋଲିସକୁ ମିଳିଛି କଣ? ତଦନ୍ତ ଯେତିକି ଆଗଉଛି ମାମଲା ସେତିକି ଗୋଳମାଳିଆ ହୋଇପଡୁଥିବା ସୂଚନା ମିଳିଛି । କାରଣ ପୋଲିସ ତଦନ୍ତକୁ ଦିଗହରା କରିବା ପାଇଁ ଭରପୁର ପ୍ରୟାସ କରୁଛନ୍ତି ପୂର୍ବତନ ବିଧାୟକ ଅନୁପ ସାଏ ଓ ଡ୍ରାଇଭର ବର୍ଦ୍ଧନ ଟପୋ । ଏହାରି ଭିତରେ କଳ୍ପନା-ବବଲି ଡବଲ ମର୍ଡର ଘଟଣାରେ ଆଜି ସଂଧ୍ୟାରେ ଶେଷ ହେଉଛି ଅନୁପ ସାଏଙ୍କ ରିମାଣ୍ଡ ଅବଧି ।

ଗତ ୧୯ ତାରିଖ ସଂଧ୍ୟାରେ ଏହି ମାମଲାରେ ପୂର୍ବତନ ବିଧାୟକ ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା ଛତିଶଗଡ ରାୟଗଡ ପୋଲିସ । ତେଣୁ ଆଜି ପୁଣି କୋର୍ଟରେ ହାଜର କରାଯିବ । ସବୁଠାରୁ ବଡକଥା ହେଲା ହତ୍ୟାକାଣ୍ଡରେ ବ୍ୟବହୃତ ଲୁହା ରଡ ଓ ବୋଲେରୋ ଗାଡି ଏଯାଏଁ ପୋଲିସ ହାତରେ ଲାଗିନାହିଁ । ବିଳାଶପୁର ଆଇଜି ଦୀପାଂଶୁ କାବ୍ରା ଗଣମାଧ୍ୟମକୁ କହିଥିଲେ ଯେ, ଏହା ଏକ ବ୍ଲାଇଣ୍ଡ ମର୍ଡର କେସ ହୋଇଥିବାରୁ କୌଣସି ଆଇ-ୱିଟନେଓ ବା ଚାକ୍ଷୁସ ପ୍ରମାଣ ନାହିଁ । ଯେଉଁଥିପାଇଁ କୋର୍ଟରେ ଦାଖଲ ପାଇଁ ରାୟଗଡ ପୋଲିସକୁ ଅଧିକ ପ୍ରମାଣ ଯୋଗାଡ କରିବାକୁ ପଡିବ ।

ତେଣୁ ଅନୁପଙ୍କୁ ତିନିଦିନ ରିମାଣ୍ଡରେ ନେଇ ଜେରା ଭିତରେ ପୋଲିସ ହାତରେ କଣ ସବୁ ତଥ୍ୟ, ପ୍ରମାଣ ଲାଗିଛି ତାହା ହିଁ ଗୁରୁତ୍ୱପୂର୍ଣ୍ଣ । ଡ୍ରାଇଭରଙ୍କୁ ଘଟଣାସ୍ଥଳରେ ନେଇ ଡେମୋ କଲାବେଳେ ଏକ ଇନୋଭା ଗାଡିର ରହସ୍ୟ ସାମ୍ନାକୁ ଆସିଥିଲା । ପୋଲିସ ଅନୁପଙ୍କ ସେହି ଇନୋଭା ଗାଡିକୁ ଜବତ କରିଛି । ହେଲେ ସେହି ଗାଡିରେ ଆଉ କିଏ ଥିଲେ, ହତ୍ୟାକାଣ୍ଡରେ ଆଉକିଏ ଏମାନଙ୍କୁ ସହ ଯୋଗ କରିଛନ୍ତି କି, ତା ଉପରୁ ଏଯାଏଁ ପରଦା ଉଠିନାହିଁ ।