ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୩ ନୂଆ ଅତିଥୀ : ନନ୍ଦନକାନନ କର୍ତ୍ତୃପକ୍ଷଙ୍କ ସୂଚନା

142

କନକ ବ୍ୟୁରୋ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଆସିଲେ ୩ ନୂଆ ଅତିଥୀ । ମହାବଳ ବାଘ ନନ୍ଦନର ପ୍ରେମିକା ବାଘୁଣୀ ମେଘା ଗତ ରାତିରେ ୩ ଟି ଶାବକକୁ ଜନ୍ମ ଦେଇଛି । ଫଳରେ ନନ୍ଦନକାନରରେ ବାଘଙ୍କ ସଂଖ୍ୟା ୩୦ରେ ପଂହଚିଛି । ୨୦୧୬ରେ ବାଘୁଣୀ ମେଘା ଦୁଇଟି ମହାବଳ ନନ୍ଦନ ଓ ବାହୁବଳୀକୁ ଜନ୍ମ ଦେଇଥିଲା । ନହାବଳ ବାଘ ନନ୍ଦନର ଔରସରୁ ମେଘା ଗର୍ଭବତୀ ହୋଇଥିଲା । ବାଘମାନେ ସାଧାରଣତଃ ୧୦୨ ଦିନର ଗର୍ଭ ଧାରଣ ପରେ ପ୍ରସବ କରିଥାନ୍ତି । ମେଘା କ୍ଷେତ୍ରରେ ଏହାର ବ୍ୟତିକ୍ରମ ଦେଖା ଦେଇଥିଲା । ପ୍ରସବ କରିବା ପୂର୍ବରୁ ମେଘା ଖୁଆଡରେ ପଡିରହିବା ସହ ଭଲଭାବେ ଖିଆପିଆ କରୁନଥିଲା । ତେଣୁ ସିସିଟିଭି କ୍ୟାମେରା ଜରିଆରେ ତା ଉପରେ ୨୪ ଘଂଟିଆ ଦୃଷ୍ଟି ରଖିଥିଲେ ନନ୍ଦନକାନନ କର୍ତୃପକ୍ଷ । ପ୍ରାଣୀ ଉଦ୍ୟାନର ଚିକିତ୍ସା ବିଭାଗ ମଧ୍ୟ ସଜାଗ ରହିଥିଲେ ।

ନନ୍ଦନ-ମେଘାର ପ୍ରେମ କାହାଣୀ – 

ମହାବଳ ବାଘ ‘ନନ୍ଦନ’ ଓ ସାଧାରଣ ନାଲିରଙ୍ଗର ବାଘୁଣୀ ‘ମେଘା’ର ପ୍ରେମ କାହାଣୀ ବଡ଼ ରୋମାଞ୍ଚକର ଓ ନନ୍ଦନକାନନ ପାଇଁ ଏକ ଇତିହାସ। ୨୦୧୩ ମସିହାର କଥା। ଘଞ୍ଚ ସାତକୋଶିଆ ଜଙ୍ଗଲରୁ ଆସିଥିବା ମହାବଳ ବାଘ ନନ୍ଦନ ଆଶ୍ଚର୍ଯ୍ୟଜନକ ଭାବେ ନନ୍ଦନକାନନରେ ପ୍ରବେଶ କରିଥିଲା। ସଦ୍ୟ ଯୌବନରେ ପାଦ ରଖିଥିବା ବାଘୁଣୀ ମେଘାର ଖୁଆଡ଼ ନିକଟରେ ବୁଲୁଥିବା ଦେଖିବାକୁ ମିଳିଥିଲା। ତାର ଜାଲି ବାହାରେ ଥାଇ ବି ସେ ମେଘାକୁ ଆଲିଙ୍ଗନ କରୁଥିବା ଦେଖାଯାଇଥିଲା । ଘଟଣାଟି ପ୍ରଥମେ ଜଣେ ବଙ୍ଗୀୟ ପର୍ଯ୍ୟଟକଙ୍କ କ୍ୟାମେରାରେ କଏଦ୍‌ ହୋଇଥିଲା ଓ କର୍ତ୍ତୃପକ୍ଷ ନନ୍ଦନର ଆବିର୍ଭାବ ବାବଦରେ ଜାଣିବାକୁ ପାଇଥିଲେ।

ବାହାର ଜଙ୍ଗଲରୁ ଚାଲିଆସିଥିବା ମହାବଳ ବାଘକୁ ‌ଠାବ କରିବା ପରେ ବନ ବିଭାଗ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ୍ ନନ୍ଦନ। ନନ୍ଦନକାନନ କର୍ତ୍ତୃପକ୍ଷ କୌଶଳକ୍ରମେ ତାକୁ ବାଘ ସଫାରି ପଛ ପଟେ ଜାଲି ବସାଇ କାବୁ କରିଥିଲେ। ହେଲେ ତାକୁ ଅଟକ ରଖିବା ସହଜ ନଥିଲା। ଏକଦା ରାତିରେ ସେ ୧୮ ଫୁଟ ଉଚ୍ଚ ତାର ଜାଲି ଡେଇଁ ପୁଣି ବାହାରକୁ ଚାଲି ଯାଇଥିଲା। କିନ୍ତୁ ବାଘୁଣୀ ମେଘାର ମୋହ ତାକୁ ନନ୍ଦନକାନନ ପରିସରରେ ହିଁ ବାନ୍ଧି ରଖିଥିଲା। ସେ ଫେରି ନଥିଲା ସାତକୋଶିଆ। ଫଳରେ ୨୦୧୩ ଜୁଲାଇ ୧୩ ତାରିଖରେ ପୁଣି ଥରେ ଯନ୍ତାରେ ପଡ଼ିଗଲା।

ବାଘୁଣୀ ମେଘା ପାଇଁ ସାତକୋଶିଆର ମୁକ୍ତ ମହାବଳ ନନ୍ଦନ ଧରାପଡ଼ିଥିଲେ ବି ନନ୍ଦନକାନନ କର୍ତ୍ତୃପକ୍ଷ ତାକୁ ପ୍ରଥମେ ଭୋପାଳରୁ ଆସିଥିବା ବାଘୁଣୀ ‘ସାରା’ ସହ ମିଳନ କରାଇବାକୁ ସୁଯୋଗ ସୃଷ୍ଟି କରିଥିଲେ। ମେଘାର ଗର୍ଭଧାରଣ ସମୟ ହୋଇନଥିବାରୁ ତାକୁ ନନ୍ଦନ ପାଖରୁ ଦୂରେଇ ରଖାଯାଇଥିଲା। ୨୦୧୪ ମସିହାରେ ନନ୍ଦନ ଓ ସାରାର ମିଳନ ହୋଇଥିଲା। କିନ୍ତୁ ଏହାକୁ ବରଦାସ୍ତ କରିପାରିନଥିଲା ମେଘା।

ଭୋପାଳ ବାଘୁଣୀ ସାରା ଉପରେ ପ୍ରତିଶୋଧ ନେବା ଲାଗି ସୁଯୋଗକୁ ଉଣ୍ଡି ରହିଥିଲା ମେଘା। ୨୦୧୫ ମସିହାରେ ସାରାର ପାଦ ତାର ଜାଲି ବାହାରକୁ ବାହାରି ଯାଇଥିବା ସୁଯୋଗ ନେଇ ମେଘା ତାକୁ କାମୁଡ଼ି କ୍ଷତବିକ୍ଷତ କରି ପକାଇଥିଲା। ଶେଷରେ ନନ୍ଦନ ପାଖରୁ ସାରାକୁ ଅଲଗା କରାଯାଇଥିଲା ଓ ମେଘାକୁ ନନ୍ଦନ ସହ ମିଶିବା ପାଇଁ ସୁଯୋଗ ସୃଷ୍ଟି କରାଯାଇଥିଲା।