ଭାରତ-ପାକିସ୍ତାନ ଉଭୟ ପଟୁ ଖେଳିଥିବା କ୍ରିକେଟର, ପଢନ୍ତୁ ଏମାନଙ୍କ ବିଷୟରେ…

179

କନକ ବ୍ୟୁରୋ: ଆରମ୍ଭ ହୋଇ ସାରିଛି ଟି-୨୦ ବିଶ୍ୱକପ । କାଲିଠୁ ସୁପର-୧୨ ମ୍ୟାଚ ଆରମ୍ଭ ହେବାକୁ ଥିବା ବେଳେ ୨୪ ତାରିଖରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ । ଯେଉଁ ମ୍ୟାଚକୁ ଫ୍ୟାନମାନେ ଉତ୍କଣ୍ଠାର ସହ ଚାହିଁ ରହିଛନ୍ତି । ତେବେ ଆଜି ଆସନ୍ତୁ ଜାଣିବା ଏହି ଦୁଇ ଦେଶର କ୍ରିକେଟକୁ ନେଇ କିଛି ଅଜଣା କଥା । ଏହି ଦୁଇ ଦେଶରେ ଏମିତି କ୍ରିକେଟର ରହିଛନ୍ତି ଯେଉଁମାନେ ଉଭୟ ଭାରତ ଓ ପାକିସ୍ତାନ ପାଇଁ କ୍ରିକେଟ ଖେଳିସାରିଛନ୍ତି ।

ଅବଦୁଲ ହାଫିଜ କାରଦାର

ଅବଦୁଲ ହାଫିଜ କାରଦାରଙ୍କୁ ପାକିସ୍ତାନ କ୍ରିକେଟର ଜନକ ବୋଲି କୁହାଯାଏ । ଏହି ଖେଳାଳି ଉଭୟ ଭାରତ ଓ ପାକିସ୍ତାନ ପାଇଁ ଅନ୍ତର୍ଜାତୀୟ କ୍ରିକେଟ ଖେଳିଛନ୍ତି । ଦେଶ ବିଭାଜନ ହେବା ପୂର୍ବରୁ ଭାରତ ପାଇଁ ୩ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି । ସେହିପରି ୧୯୪୭ ମସିହାରେ ଦେଶ ବିଭାଜନ ହେବା ପରେ ୨୩ ଟେଷ୍ଟ ମ୍ୟାଚ ପାକିସ୍ତାନ ପାଇଁ ଖେଳିଥିଲେ । ସେ ପାକିସ୍ତାନ ଟିମର ଅଧିନାୟକ ମଧ୍ୟ ରହିଥିଲେ । ନିଜ କ୍ୟାରିୟରରେ ୨୬ ଟେଷ୍ଟ ମ୍ୟାଚ ଖେଳି ୯୨୭ ରନ କରି ୨୧ଟି ୱିକେଟ ନେଇଥିଲେ ।

ଅମିର ଇଲାହି 

ଅମିର ଇଲାହି ନିଜ କ୍ୟାରିୟରର ଆରମ୍ଭ ପେସ ବୋଲରରୁ ଆରମ୍ଭ କରିଥିଲେ ଆଉ ପରେ ଲେଗ ସ୍ପିନର ହୋଇଯାଇଥିଲେ । ସେ ୧୯୪୭ରେ ଭାରତ ପାଇଁ ପ୍ରଥମ ଥର ପାଇଁ ଟେଷ୍ଟ ମ୍ୟାଚ ଖେଳିଥିଲେ । ପରେ ଦେଶ ବିଭାଜନ ପରେ ସେ ପାକିସ୍ତାନ ଚାଲିଯାଇଥିଲେ । ଆଉ ୧୯୫୨ ମସିହାରେ ପାକିସ୍ତାନ ଟିମ ପାଇଁ ଟେଷ୍ଟରେ ଡେବ୍ୟୁ କରିଥିଲେ । ନିଜ କ୍ୟାପିୟରରେ ୬ ଟେଷ୍ଟ ମ୍ୟାଚ ଖେଳି ୭ ୱିକେଟ ହାସଲ କରିଛନ୍ତି ଇଲାହି ।

ଗୁଲ ମହମ୍ମଦ 

ଗୁଲ ମହମ୍ମଦ ଜଣେ ଦକ୍ଷ ବୋଲର ଓ ଫିଲ୍ଡର ସହ ଜଣେ ଚମତ୍କାର ବ୍ୟାଟ୍ସମ୍ୟାନ ମଧ୍ୟ ଥିଲେ । ୧୯୪୬ରେ ତାଙ୍କୁ ଭାରତୀୟ ଟିମରେ ସ୍ଥାନ ମିଳିଥିଲା । ସେ ଇଂଲଣ୍ଡ ବିପକ୍ଷରେ ନିଜ ଡେବ୍ୟୁ ମ୍ୟାଚ ଖେଳିଥିଲେ । ଏହାପରେ ସେ ଭାରତ ପାଇଁ ଆହୁରି ୭ଟି ମ୍ୟାଚ ଖେଳିଥିଲେ । ପରେ ସେ ୧୯୫୫ ମସିହାରେ ପାକିସ୍ତାନ ଚାଲିଯାଇଥିଲେ । ଆଉ ୧୯୫୬ ମସିହାରେ ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନ ପାଇଁ ମୈଦାନକୁ ଓହ୍ଲାଇଥିଲେ ।