ଚାଷୀଙ୍କ କଥା ରହିଲା, ସରକାର ମୁଣ୍ଡ ନୁଆଁଇଲେ। ପ୍ରତ୍ୟାହୃତ ହେବ ବିବାଦୀୟ ତିନି କୃଷି ଆଇନ।

103

କନକ ବ୍ୟୁରୋ: ଚାଷୀଙ୍କ କଥା ରହିଲା, ସରକାର ମୁଣ୍ଡ ନୁଆଁଇଲେ। ତିନି କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଆଗାମୀ ସଂସଦ ଅଧିବେସନରେ ସାମ୍ବିଧାନିକ ପ୍ରକ୍ରିୟା ସମ୍ପୂର୍ଣ୍ଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ ଦେଶକୁ ଉଦବୋଧନ ଦେଇ କହିଛନ୍ତି । ପାଖାପାଖି ବର୍ଷେ ଧରି ସଂସଦରୁ ସଡକ ଯାଏଁ ଚାଲିଥିବା ଏହି ଆନ୍ଦୋଳନ, କେନ୍ଦ୍ର ସରକାରଙ୍କୁ ମାତ୍ରାଧିକ ଚାପଗ୍ରସ୍ତ କରିଥିବା କୁହାଯାଉଛି । ଆଉ ଶେଷରେ ସ୍ଥିତି ଏମିତି ହେଲା ଯେ, ଚାଷୀଙ୍କୁ ଆଇନ ବାବଦରେ ବୁଝାଇ ପାରିନଥିବା ଉଲ୍ଲେଖ କରି ତିନୋଟି ଯାକ ଆଇନକୁ ପ୍ରତ୍ୟାହାର କରିନିଆଗଲା ।

ଯେଉଁ ଆଇନ ଲାଗୁ କରିବା ପାଇଁ ନଛୋଡ଼ବନ୍ଦା ଥିଲେ ମୋଦୀ ସରକାର, ଯାହାକୁ ନେଇ ପ୍ରାୟ ୧ ବର୍ଷ କାଳ ଦିଲ୍ଲୀରେ ଅଚଳବସ୍ଥା ସୃଷ୍ଟି ହୋଇଥିଲା, ବିବାଦରେ ଛନ୍ଦି ହୋଇ ପଡିଥିବା ସେହି ଆଇନକୁ ଅତି ଅପ୍ରତ୍ୟାଶିତ ଭାବେ ଫେରାଇ ନେବା ପାଇଁ ଘୋଷଣା କରିଛନ୍ତି ମୋଦୀ । ତେବେ ନୂଆ କୃଷି ଆଇନ ସପକ୍ଷରେ ଦୃଢ଼ ଯୁକ୍ତି ବାଢ଼ିବା ସହ ପ୍ରଧାନମନ୍ତ୍ରୀ କହିଛନ୍ତି ଚାଷୀଙ୍କ ଉନ୍ନତି ପାଇଁ ଅତି ନିଷ୍ଠାର ସହ ଏହି ଆଇନ ଅଣା ଯାଇଥିଲା, ତେବେ କିଛି ଚାଷୀଙ୍କୁ ଆଇନର ସୁଫଳ ସଂପର୍କରେ ବୁଝାଇ ହେଲାନାହିଁ ।

ନୂଆ କୃଷି ଆଇନ ପ୍ରତ୍ୟାହାର ନେଇ ଘୋଷଣା କରିବା ପରେ ଆନ୍ଦୋଳନରତ କୃଷକଙ୍କୁ ଘରକୁ ଫେରିଯିବାକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ । ତେବେ କୃଷକ ନେତା ରାକେଶ ଟିକାୟତ କହିଛନ୍ତି ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର ହେବନି । ସଂସଦରେ ଆଇନ ପ୍ରତ୍ୟାହାର ନହେବା ପର୍ଯ୍ୟନ୍ତ ଆନ୍ଦୋଳନ ଚାଲିବ । ଏମଏସପି ସହ ଚାଷୀଙ୍କର ଥିବା ଅନ୍ୟ ସମସ୍ୟା ଉପରେ ସରକାର ଆଲୋଚନା କରନ୍ତୁ ବୋଲି ଦାବି କରିଛନ୍ତି ଟିକାୟତ ।

ତେବେ ମୋଦିଙ୍କ ଘୋଷଣା ପରେ କୃଷକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ମିଠା ବାଣ୍ଟି, ବାଣ ଫୁଟାଇ, ଗୀତ ଗାଇ ସେଲିବ୍ରେସନ୍ କରିଛନ୍ତି କୃଷକ । ଓଡ଼ିଶାରେ ବି ନୂଆ କୃଷି ଆଇନ ପ୍ରତ୍ୟାହାର ଖୁସିରେ ମିଠା ବାଣ୍ଟିବା ସହ ଲଣ୍ଡା ହୋଇଛନ୍ତି କଂଗ୍ରେସ କର୍ମୀ । ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହାକୁ ନେଇ ଟୁଇଟ କରି ନିଜର ପ୍ରତିକ୍ରିୟା ରଖିଛନ୍ତି । ଦେଶର ଅନ୍ନଦାତାଙ୍କ ସତ୍ୟାଗ୍ରହ ଆଗରେ ଅହଙ୍କାରର ମୁଣ୍ଡ ତଳକୁ ନଇଁଛି । ଅନ୍ୟାୟ ବିରୋଧରେ ବିଜୟ ହୋଇଛି ବୋଲି କହିଛନ୍ତି ରାହୁଲ । ଅନ୍ୟପଟେ ୩ କୃଷି ଆଇନ ପ୍ରତ୍ୟାହାରକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଦେଶ ଓ କୃଷକଙ୍କ ହିତ ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ । ବିଜେଡି ସଦାସର୍ବଦା ଚାଷୀଙ୍କ ସହିତ ରହିଛି ।