କୋଲାବ ଜଳଭଣ୍ଡାରରେ ବୁଡି ୩ ଛାତ୍ର ମୃତ । ଜନ୍ମଦିନ ପାଳିବାକୁ କଲେଜରୁ ଯାଇଥିଲେ ଡ୍ୟାମ୍ ।

634

କନକ ବ୍ୟୁରୋ : କୋରାପୁଟ କୋଲାବ ଜଳଭଣ୍ଡାରରେ ବୁଡିଗଲେ ୩ ଛାତ୍ର । ଗାଧୋଇବାବେଳେ ଗୋଡ ଖସିଯିବାରୁ ଏଭଳି ଅଘଟଣ ଘଟିଛି । ଘଟଣାସ୍ଥଳରେ ଦମକଳବାହିନୀ ପହଁଚି ଏମାନଙ୍କୁ ଉଦ୍ଧାର କରିଥିବାବେଳେ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡାକ୍ତର ୩ଛାତ୍ରଙ୍କୁ ମୃତ ଘୋଷଣା କରାଯାଇଛି ।

ମୃତକ ସମସ୍ତ ଛାତ୍ର କୋରାପୁଟ କଲେଜ ବିଜ୍ଞାନ ବିଭାଗର ବୋଲି ଜଣାପଡିଛି । ତେବେ ଜଣେ ଛାତ୍ରଙ୍କ ଜନ୍ମଦିନ ପାଳନ କରିବା ପାଇଁ ଏମାନେ କଲେଜରୁ କୋଲାବ ଜଳଭଣ୍ଡାର ଯାଇଥିବା ଜଣାପଡିଛି । ୪ଜଣ ଛାତ୍ରୀଙ୍କ ସହ ୩ଜଣ ଛାତ୍ର ଏକାଠି ହୋଇ ଜଳଭଣ୍ଡାର ବୁଲିବାକୁ ଯାଇଥିଲେ ।

ସେଠାରେ ୭ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୩ଜଣ ଛାତ୍ର କୋଲାବ ନଦୀରେ ସ୍ନାନ କରିବାକୁ ଯାଇଥିଲେ। ଗାଧୋଇବା ସମୟରେ ଉକ୍ତ ୩ ଛାତ୍ର ପାଣିରେ ବୁଡ଼ିଯାଇଥିଲେ। ସେମାନଙ୍କ ଗୋଡ଼ ଖସିବାରୁ ଏଭଳି ଘଟିଥିବା କୁହାଯାଉଛି। ସେଠାରେ ଉପସ୍ଥିତ ଥିବା ଛାତ୍ରୀମାନେ ୩ ଛାତ୍ର ପାଣିରେ ବୁଡ଼ିଯାଉଥିବାର ଦେଖି ଚିତ୍କାର କରିଥିଲେ। ପାଟି ଶୁଣି ସ୍ଥାନୀୟ ଲୋକେ ୩ ଛାତ୍ରଙ୍କୁ ଉଦ୍ଧାର କରି କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ସରକାରୀ ଡାକ୍ତରଖାନାକୁ ନେଇଥିଲେ । ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଏହି ୩ ଛାତ୍ର କୋରାପୁଟ ସରକାରୀ ମହାବିଦ୍ୟାଳୟର +୩ ଦ୍ବିତୀୟ ବର୍ଷ ଛାତ୍ର ବୋଲି ଜଣାଯାଇଛି। ସେମାନଙ୍କ ନାମ ମନ୍ମଥ ସାସମଲ୍ , ସନ୍ଦିପ ପୂଜାରୀ ଏବଂ ରମାକାନ୍ତ ପଟ୍ଟନାୟକ ବୋଲି ଜଣାପଡ଼ିଛି। ତେବେ ଏନେଇ କଲେଜ ଅଧ୍ୟକ୍ଷଙ୍କ ନିକଟରେ କିଛି ସୂଚନା ନଥିବା କୁହାଯାଉଛି। ଏହି ଘଟଣା ପ୍ରଚାରିତ ହେବା ପରେ କୋରାପୁଟ ସରକାରୀ ମହାବିଦ୍ୟାଳୟ ପରିସରରେ ଶୋକାକୁଳ ପରିସ୍ଥିତ ଦେଖିବାକୁ ମିଳିଛି।